ପଦ୍ମପୁରରେ କେନ୍ଦୁପତ୍ର ଶ୍ରମିକଙ୍କ ବିଶାଳ ସମାବେଶ

  • କେନ୍ଦୁପତ୍ର ତୋଳାଳୀ, ଶ୍ରମିକଙ୍କୁ ନବୀନ ସରକାର ବାରମ୍ବାର ଧୋକା ଦେଉଛନ୍ତି : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀମାନଙ୍କୁ ୨୩ ବର୍ଷର ନବୀନ ପଟ୍ଟନାୟକ ସରକାର ବାରମ୍ବାର ଧୋକା ଦେଇ ଚାଳିଛି ବୋଲି ପଦ୍ମପୁର ଗୋରୁ ବଜାର ପଡିଆରେ ଅନୁଷ୍ଠିତ କେନ୍ଦୁପତ୍ର ଶ୍ରମିକମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଛନ୍ତି । ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନର ଆହ୍ଵାନରେ ୯ ଦଫା ଦାବୀକୁ ନେଇ ପଦ୍ମପୁର ଗୋରୁ ବଜାର ପଡିଆରେ ଏକ ବିଶାଳ ସମାବେଶ ସଂଘର ନେତା କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ପରେ ଏକ ଶୋଭାଯାତ୍ରାରେ ଗୋରୁବଜାରରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୯ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, ସିଜିନାଲ କର୍ମଚାରୀ ସାମିଲ ହୋଇଥିଲେ । ଗୋରୁବଜାର ପଡିଆରେ ଅନୁଷ୍ଠିତ ସମାବେଶରେ ମୁଖ୍ୟଅତିଥି ଭାବେ କେନ୍ଦୁପତ୍ର ଶ୍ରମିକ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓଡିଶା ସରକାର କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀମାନଙ୍କୁ ୨୩ ବର୍ଷର ଶାସନରେ ୨୩ ଥର ଧୋକା ଦେଇ ସାରିଲେଣି ବୋଲି ସମାଲୋଚନ କରିବା ସହ କେନ୍ଦୁପତ୍ର ଶ୍ରମିକମାନେ ଉଚିତ ସମୟରେ ନବୀନ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି । ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୯ ଦଫା ଦାବୀ ମଧ୍ୟରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଶତ ପ୍ରତିଶତ ବୋନସ ପ୍ରଦାନ ସହ ସିଜିନାଲ କର୍ମଚାରୀମାନଙ୍କୁ ୨୦ ପ୍ରତିଶତ ଇନସେନଟିଭ ଦେବା, ରାଜ୍ୟର ସମସ୍ତ ତୋଳାଳୀମାନଙ୍କୁ ଛାତ୍ର ବୃତ୍ତି ଓ ବିବାହ ସହାୟତା ୫୦ ହଜାର ଟଙ୍କା ଯୋଗାଇ ଦେବା, ସିଜିନାଲ କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିବା, ବନ୍ଧେଇ ଶ୍ରମିକମାନଙ୍କ ମଜୁରୀ ଓ ମେଟ୍ କମିଶନ ବୃଦ୍ଧି କରିବା, ହେଡଚେକରମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଚପରାସୀରୁ ବନ୍ଧେଇ ଚେକର ସମସ୍ତଙ୍କୁ ୧୨ ମାସ ନିଯୁକ୍ତି ଦେବା, ଗତ ୩/୧/୨୦୧୩ ମସିହାରେ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସିଜିନାଲ କର୍ମଚାରୀଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରିବା, ୱାଚରମାନଙ୍କ ବକେୟା ଦରମା ୨ କୋଟି ୩୪ ଲକ୍ଷ ଟଙ୍କାର ଯୋଗାଇ ଦେବା ଆଦି ଦାବୀପତ୍ରରେ ଉଲ୍ଲେଖ ଅଛି । ଏହି ଶ୍ରମିକ ସମାବେଶରେ ବୋଡାସମ୍ବର ଜମିଦାର ତଥା ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ମକରଧ୍ଵଜ ବଗାର, ଶ୍ରୀମତୀ ସରସ୍ଵତୀ ସାହୁ, ହେଡଚେକର ସୁରେଶ ପଣ୍ତା, ୠଷଭ ପ୍ରଧାନ, ରଙ୍କମଣି ହୋତା, ନାରାୟଣ ପୋଢ, ଡୋଲେନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମ୍ଭାର, ଶେଷଦେବ ଯୋଶୀ, ହଜାରୁ ପ୍ରଧାନ, କ୍ଷିତି ଭୂଷଣ, ସତ୍ୟବାନ ପ୍ରଧାନ, ମଧୁ ବେହେରା, ମହେନ୍ଦ୍ର ପ୍ରଧାନ, ନାରାୟଣ ସାହୁ, ରଘୁବୀର ସିଂ ବରିହା, ଚକାମନ ପ୍ରଧାନ, ତପନ ବରିହା, ହରେକୃଷ୍ଣ ବାଗ, କେନ୍ଦୁପତ୍ର ତୋଳାଳୀ ଶ୍ରୀମତୀ ସଖୀ ବରିହା, ସମୁନ ପ୍ରଧାନ, ରମ୍ଭା ପ୍ରଧାନ, ରୁକ୍ବିମଣି ବେଶ୍ରା, କ୍ରିଷ୍ଣା ବେହେରା, ନିଲାବତୀ ବରିହା ଆଦି ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

error: Content is protected !!