ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମିଳିତ ଯୁବ ଛାତ୍ର ସମାବେଶ : ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମିଳିତ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇ କମିଟି ପକ୍ଷରୁ କୁହାଯାଇଛି ଯେ, ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଏକ ମିଳିତ ଜିଲ୍ଲାସ୍ତରୀୟ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ସଂଜୀବ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଯୁବ ଛାତ୍ର କନଭେନସନରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଜିଲ୍ଲାର ବିକାଶ ପାଇଁ ଏକ ହେବାକୁ ଆହ୍ୱାନ କରିଥିଲେ । ଖଣି ଖାଦାନରେ ଭରପୁର ଥିବା ସୁନ୍ଦରଗଡ଼ ଜିଲ୍ଲା ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତ, ରେଳ ଯୋଗାଯୋଗ ଓ ଭିତ୍ତିଭୂମିର ବିକାଶ ଦିଗରେ ଆଜି ବହୁ ପଛରେ ରହିଛି । ରାଜନୈତିକ ଇଚ୍ଛାଶକ୍ତିର ଓ ଦୃଢ଼ ପ୍ରତିବଦ୍ଧତା ଅଭାବ ଯୋଗୁଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଯାହା ପାଇବା ପାଇଁ ହକଦାର ତାହା ପାଇପାରି ନାହିଁ । ଏହି ଅନ୍ୟାୟ, ଅବିଚାର ଓ ଜିଲ୍ଲା ପ୍ରତି ବୈମାତୃକ ମନୋଭାବର ବିରୋଧରୁ ନାଗରିକ ସୁରକ୍ଷା କମିଟିର ଜନ୍ମ । ଦେଶର ପ୍ରଧାନମନ୍ତ୍ରୀ ରାଉରକେଲାରେ ଘୋଷଣା କଲେ ଯେ, ଏଠାରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ । ଦେଶର ଟିକସ ଦାତାଙ୍କ ୪ ଶହ କୋଟି ଟଙ୍କାରେ ଏକ ଓ ରାଉରକେଲା ଇସ୍ପାତ କାରଖାନାର ମୂଲ୍ୟବାନ ଜମିରେ କେବଳ ଏକ ବୃହତ ବିଲଡିଙ୍ଗ ତିଆରି କରାଗଲା । ସେ ସୁପର ସ୍ପେସାଲିଟି ହସ୍ପିଟାଲରେ ନା ଅଛନ୍ତି ସ୍ପେସାଲିଟି ଡାକ୍ତର ନା ପାରାମେଡିକାଲ ଷ୍ଟାଫ ନା ଅନ୍ୟାନ୍ୟ ବ୍ୟବସ୍ଥା । ତାକୁ ମଧ୍ୟ ଏକ ଘରୋଇ ସଂସ୍ଥା ଆପୋଲୋକୁ ଟେକି ଦିଆଗଲା । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ସୁପର ସ୍ପେସାଲିଟି ହସ୍ପିଟାଲ ହେଲେ ମଧ୍ୟ ମେଡିକାଲ କଲେଜ ହୋଇ ପାରିଲା ନାହିଁ । ଜିଲ୍ଲାବାସୀ ଏହି ପରି ଅନେକ ପ୍ରତିଶ୍ରୁତି ପାଇ ମଧ୍ୟ ପ୍ରତାରିତ ହୋଇଛନ୍ତି । ଦୀର୍ଘ ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟ ସରିଲା ନାହିଁ । ରାଉରକେଲାକୁ ରେଳ ଡିଭିଜନ ଘୋଷଣା, ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା, ବାସଚ୍ୟୁତଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇର ବିକାଶ, ରାଉରକେଲା ଇସ୍ପାତ କାରଖାନାର ଆଧୁନିକିକରଣ ଓ ସଂପ୍ରସାରଣ, ଏଠାରେ ଇଏସ୍‌ଆଇସିର ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ପ୍ରଭୃତି ଦାବୀରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ଶ୍ରମିକ, ଯୁବ ଛାତ୍ର, ମହିଳା, ସାମାଜିକ ଓ ସାଂସ୍କୃତିକ ସଂଗଠନ, ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଏକତ୍ରିତ କରି ଜିଲ୍ଲାର ବିକାଶ ପାଇଁ ଏକ ହୋଇ ଲଢ଼ିବାକୁ ଆଜି ନାଗରିକ ସୁରକ୍ଷା କମିଟି ନିଷ୍ପତ୍ତି ଗ୍ରହଣ କରିଛି । ସେହି ପରିପ୍ରେକ୍ଷୀରେ ଆଜି ଏହି ଜିଲ୍ଲା ସ୍ତରୀୟ ଯୁବ ଛାତ୍ର ସମାବେଶ । ଆଶା କରୁଛି ସମସ୍ତ ଯୁବ ଛାତ୍ର ମାନେ ରାଜନୈତିକ ବିଚାର ଧାରାରୁ ଉର୍ଦ୍ଧ୍ବରେ ରହି ଜିଲ୍ଲାର ବିକାଶ ପାଇଁ ଏକ ହେବେ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ବକ୍ତବ୍ୟ ରଖି ଯୁବ ଛାତ୍ର ମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ, ନିଜର ସ୍ବାର୍ଥକୁ ପଛରେ ରଖି ସମାଜ ପାଇଁ କାର୍ୟ୍ୟ କରିବାକୁ ଉପସ୍ଥିତ ଯୁବ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ନାଗରିକ ସୁରକ୍ଷା କମିଟି ସଦସ୍ୟ ରାଜ କିଶୋର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯୁବ ଛାତ୍ର ସମାବେଶରେ ଛାତ୍ର ବିଜେଡି ନେତା ଡି ଅଭିକ୍ କୁମାର, ରାଣା ପ୍ରତାପ ସିଂ, ଛାତ୍ର କଂଗ୍ରେସ ନେତା ସୀମିତ କଂସାରୀ, ଏସ୍‌ଏଫ୍‌ଆଇ ନେତ୍ରୀ ମୁକ୍ତା ଦାଶ, ଯୁବ ବିଜେଡି ନେତା ବିଭୁତି ପୁହାଣ, ଦୁଷ୍ମନ୍ତ ରାଉତରାୟ, ଯୁବ କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାସ, ଇସ୍ତେହର ଅହମ୍ମଦ ଡିଓଇଏଫ୍‌ଆଇ ନେତା ବାଦଲ ବାରିକ୍, ପ୍ରଭାତ ପାତ୍ର, ଏଆଇଏସ୍‌ଏଫ୍ ନେତା ବିପିନା ବେହେରା ପ୍ରମୁଖ ବକ୍ତବ୍ୟ ରଖି ନାଗରିକ ସୁରକ୍ଷା କମିଟି ଯେଉଁ ଦାବୀ ଉପସ୍ଥାପନ କରିଛି ତାକୁ ସମର୍ଥନ କରିବା ସହ ଆଗାମୀ ଦିନରେ ଯେଉଁ ଆନ୍ଦୋଳନର ଖସଡ଼ା ପ୍ରସ୍ତୁତ ହେବ ସେଥିରେ ଜିଲ୍ଲାର ଯୁବ ଛାତ୍ର ମାନେ ଜିଲ୍ଲାର ବିକାଶ ପାଇଁ ସାମିଲ ହେବେ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କନଭେନସନରେ ବକ୍ତବ୍ୟ ରଖି ନାଗରିକ ସୁରକ୍ଷା କମିଟି ସଦସ୍ୟ ମନୋରଞ୍ଜନ ଦାଶ, ଗଣେଶ ପ୍ରଧାନ, ସୁରେନ୍ଦ୍ର ଦାଶ, ସଦାନନ୍ଦ ସାହୁ ପ୍ରମୁଖ ନାଗରିକ ସୁରକ୍ଷା କମିଟିର ନିଷ୍ପତ୍ତିକୁ ତୃଣମୂଳ ସ୍ତରରେ ସମସ୍ତ ଯୁବ ଛାତ୍ରମାନଙ୍କ ପାଖରେ ପହଞ୍ଚାଇବାକୁ କହିବା ସହ ଜିଲ୍ଲାର ସମସ୍ତ ଯୁବ ଛାତ୍ରମାନଙ୍କୁ ସାମିଲ କରିବାକୁ ଆହ୍ୱାନ କରିଥିଲେ । ଆଗାମୀ ଅଗଷ୍ଟ ୨୦ ତାରିଖ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହାକନଭେନସନରେ ଶହ ଶହ ଯୁବ ଛାତ୍ରମାନଙ୍କୁ ସାମିଲ କରିବାକୁ ଆଜିର କନଭେନସନରେ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ନାଗରିକ ସୁରକ୍ଷା କମିଟିର ଆଜି ଉପସ୍ଥିତ ଥିବା ସମସ୍ତ ଯୁବ ଛାତ୍ର ନେତୃତ୍ୱମାନଙ୍କୁ ନେଇ ଏକ ନାଗରିକ ସୁରକ୍ଷା କମିଟି ଯୁବ ଛାତ୍ର ସବ୍ କମିଟି ଗଠନ କରାଯାଇଛି ଯେଉଁଥିରେ ରାଜ କିଶୋର ପ୍ରଧାନ ଆବାହକ ଭାବେ ରହିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଜିର ଏହି କନଭେନସନରେ ଅନ୍ୟମାନଙ୍କ ମଧ୍ୟରେ ନାଗରିକ ସୁରକ୍ଷା କମିଟିର ବିମାନ ମାଇତି, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ପ୍ରଭାତ ମହାନ୍ତି, ଜଟାଧାରୀ ମାଝୀ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ ପ୍ରମୁଖ ଯୁବ ଛାତ୍ର ସମାବେଶକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.