ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ଆସ୍କା ସମବାୟ ସମିତି ପକ୍ଷରୁ ସମାନ କାମକୁ ସମାନ ଦରମା ପ୍ରଦାନ ଦାବୀରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଣଧାରଣାରେ ୧୯୨ଟି ସମବାୟ ସମିତି ଶାଖାର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ସମଗ୍ର ରାଜ୍ୟରେ ପୁଞ୍ଜି ନିବେଶ ମାଧ୍ୟମରେ କୃଷି କ୍ଷେତ୍ରକୁ ପରିପୃଷ୍ଟ କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ରଖନ୍ତି, ତାହାର ଶତକଡ଼ା ୬୨ ଭାଗ କେବଳ ସମବାୟ ସମିତିମାନଙ୍କ ଦ୍ୱାରା ସାଧିତ ହୋଇଥାଏ । କୃଷି ଋଣ ଲଗାଣ ମାଧ୍ୟମରେ କୃଷି ତଥା କୃଷକଙ୍କ ଆୟରେ ଅଭିବୃଦ୍ଧି ସକାଶେ କୃଷି ସମବାୟ ସମିତିଗୁଡିକ ଏକ ମାତ୍ର ପନ୍ଥା ଅଟେ । ଏହି ଗୁରୁ ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରିବା ପାଇଁ ସମିତି ମାନଙ୍କରେ ଆମ୍ଭମାନଙ୍କୁ ନିଯୁକ୍ତି କରାଯାଇଛି । ଗ୍ରାମାଞ୍ଚଳର ତୃଣମୂଳସ୍ତରରେ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୟ ଯୋଜନା/କାର୍ଯ୍ୟକ୍ରମ ଯଥା- ବିନା ସୁଧରେ କୃଷି ଋଣ, ପ୍ରଦାନ ସହିତ ବିହନ ଓ ରାସାୟନିକ ସାର ଯୋଗଣ, କୃଷି ଯନ୍ତ୍ରପାତି ଯୋଗାଣ, କୃଷକମାନଙ୍କ ଫସଲକୁ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ କରିବା ଏବଂ ମିଶନ୍ ଶକ୍ତି ଯୋଜନାରେ ମହିଳାମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ ସହିତ କୃଷକମାନଙ୍କର କୃଷି ଉତ୍ପାଦିତ ସାମଗ୍ରୀ ଗୁଡିକୁ ଯଥା- ଧାନ, ମାଣ୍ଡିଆ, ମୁଗ, କପା, ଚିନାବାଦାମ ଇତ୍ୟାଦି ସରକାରଙ୍କ ନିର୍ଦ୍ଧାରିତ ସହାୟକ ମୂଲ୍ୟରେ ବିକ୍ରିବଟା ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ସ୍ୱଚ୍ଛତାର ସହିତ ସୁଚାରୁ ରୂପେ ସମିତି କର୍ମଚାରୀମାନେ ସମ୍ପାଦନ କରିଥିଲେ ମଧ୍ୟ ସମିତି କର୍ମଚାରୀମାନେ ଯୁକ୍ତ ଦରମା ପାଇ ଦୁର୍ବିସହ ଜୀବନ ଯାପନ କରନ୍ତି । ଏଥିପାଇଁ କାହାରି ମଧ୍ୟ ନିଘା ନାହିଁ । ତ୍ରୀସ୍ତରୀୟ ସମବାୟ ବ୍ୟବସ୍ଥାରେ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମୟ ସମିତିଗୁଡିକ ରହିଥିବା ବେଳେ ମଧ୍ୟବର୍ତ୍ତୀ ସ୍ତରରେ କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଶୀର୍ଷ ସ୍ତରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ରହିଛି । କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକ ମହାଜନ ସଦୃଶ୍ୟ କାର୍ଯ୍ୟ କରନ୍ତି ଯଥା- ସମିତିଗୁଡିକ କୃଷକମାନଙ୍କୁ ତତ୍କାଳ ସୁଧ ରିହାତି ତଥା ବିନା ସୁଧରେ ରଣ ପ୍ରଦାନ ବେଳେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସମିତି ଠାରୁ ସୁଧ ଶୋଷଣ କରନ୍ତି ଏବଂ ସମିତିର ପ୍ରାପ୍ୟଗୁଡିକ ପ୍ରଦାନରେ ଅହେତୁକ ବିଳମ୍ବ କରନ୍ତି । ଏପରିକି କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧକ ସାଜନ୍ତି । ସମିତିର କର୍ମଚାରୀମାନଙ୍କୁ ପଦୋନ୍ନତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି । ସମିତିର ସମ୍ବଳକୁ (ଅଂଶଧନ ଏବଂ ସୁଧ ସହାୟତା) ବ୍ୟାଙ୍କ ନିଜ ଇଚ୍ଛା ମୁତାବକ ଶୋଷଣ କରୁଥିବା ଯୋଗୁଁ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଆପଣାଇବାକୁ ପଡୁଛି । ଏହାଦ୍ୱାରା କୃଷି ଓ କୃଷକର ଯେଉଁ କ୍ଷତି ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ଦାୟୀ ରହିବେ । ଉକ୍ତ ଧାରଣାକୁ କର୍ମଚାରୀ ସଂଘର ସଭାପତି ଶିବରାମ ମହାଙ୍କୁଡ, କାର୍ଯ୍ୟକାରୀ ସଭାପତି -ଅଶୋକ କୁମାର ସ୍ଵାଇଁ, ସାଧାରଣ ସଂପାଦକ- ପ୍ରତାପ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ କାହ୍ନୁଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଏ.ସତ୍ୟନାରାୟଣ ରେଡ୍ଡୀ, ଅରୁଣ ବେହେରା, କୃଷ୍ଣଚନ୍ଦ୍ର ଗୌଡ଼, ସୁଧାଂଶୁ ବିଷୋୟୀ, ସୋମନାଥ ମଲ୍ଲିକ, ରଞ୍ଜନ କୁମାର ବିଷୋୟୀ, ପ୍ରକାଶ ବାରିକ, ସିମାଞ୍ଚଳ ସାହୁ ଓ ପ୍ରଭାକର ମହାରଣା ପ୍ରମୁଖ ସଂଘର ସମସ୍ତ କର୍ମଚାରୀମାନଙ୍କ ନେତୃତ୍ୱରେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଂଗକୁ ଦୀର୍ଘ ସମୟ ଧରି ପ୍ରତୀକ ଧାରଣାରେ ବସିଥିଲେ ।

Leave A Reply

Your email address will not be published.