
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗିର ତରଫରୁ ଉଡାନ ବୋର୍ଡ ପରୀକ୍ଷାରେ ଇ୨ ରଖିଥିବା କୃତୀ ଛାତ୍ରୀ ସୌମ୍ୟାଶ୍ରୀ ମିଶ୍ର, ଶ୍ରୀୟା ନେଗୀ ଓ ମୋନାଲି ଜାଲଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ଏହି ପରିପ୍ରେକ୍ଷୀରେ ଉଡାନ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାହେଲା । ଉଡାନର ଏହି ଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ରୋଟାରି ଏଲିଟ ଓ ଉଡାନ ଦଶମ ଶ୍ରେଣୀ ତଥା ଉଡାନର ପୂର୍ବତନ ଛାତ୍ରୀଙ୍କ ଦ୍ୱାରା ପ୍ରଦାନ କରାହେଲା । ଏହି ସଭାରେ ଅତିଥିଭାବେ ଯୋଗଦେଇ ପ୍ରଫେସର ମଧୁସୂଦନ ପତି କହିଲେ ଉଡାନ ସହିତ ସମ୍ପୃକ୍ତ କେବଳ ଶିକ୍ଷକ, ଛାତ୍ରୀ, ଅଭିଭାବକ ନୁହେଁ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ସାଧୁବାଦର ହକଦାର । କୌଣସି ନାରୀ ଦୟାର ପାତ୍ର ନୁହନ୍ତି ସେମାନେ ସବୁବେଳେ ଦିବ୍ୟ ଓ ସରଳ । କେବଳ ପାଠ ନୁହେଁ ଆଚରଣ ବ୍ୟକ୍ତିକୁ ସମ୍ପୂର୍ଣ କରେ ଓ ସଫଳ କରାଏ । ରୋଟାରି ଏଲିଟର ପ୍ରକୃତ ପରିଚୟ ପ୍ରଦାନ କରିଛି ଉଡାନ । ଅନ୍ୟତମ ଅତିଥି ତଥା ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ କହିଲେ ଉଡାନ ଆଜି କେବଳ ଏକ ଆନ୍ଦୋଳନ ନୁହେଁ ପରିବାରରେ ପରିଣତ ହୋଇଛି । ଉଡାନର ପ୍ରଚେଷ୍ଟା ଛାତ୍ରୀମାନଙ୍କୁ ସ୍ୱୟଂସମ୍ପୂର୍ଣ କରିବା ଓ ସେମାନଙ୍କୁ ବଳିଷ୍ଠ କରି ପ୍ରସ୍ତୁତ କରିବା । ପ୍ରତ୍ୟେକ ଛାତ୍ରୀ ଏଠି ବଳବାନ ହୋଇ ଆଗକୁ ଯାଉଛି ଏବଂ ଏକ ସଫଳ ଜୀବନ ତିଆରି କରିବାକୁ ପ୍ରସ୍ତୁତ ହେଉଛି । ଗରିବୀ ଏକ ଅବସ୍ଥା ନୁହେଁ ଏହା ସଫଳତାର ମାର୍ଗ ପ୍ରଶସ୍ତ କରେ । ଉଡାନର ବରିଷ୍ଠ ଶିକ୍ଷକ ନବୀନ ନାୟକ କହିଲେ ଛାତ୍ରୀମାନେ ଯାହାବି ମାର୍କ ଆଣିଛନ୍ତି ଯଦିଓ ମୁଁ ସନ୍ତୁଷ୍ଟ ନୁହେଁ କିନ୍ତୁ ସେମାନଙ୍କ ପ୍ରଚେଷ୍ଟା ଓ ଅଧ୍ୟବସାୟ ନିଶ୍ଚିତ ଭାବେ ପ୍ରଶଂସନୀୟ । ଉଡାନର ପୂର୍ବତନ ଛାତ୍ରୀ ତୁଳସୀରାଣୀ ସାହୁ ନିଜର ଅଭିଜ୍ଞତା କହିବାକୁ ଯାଇ ଉଡାନର ଅବଦାନ ଅବିସ୍ମରଣୀୟ ବୋଲି ପ୍ରକାଶ କରିଥିଲେ । ଅଭିଭାବକ ଯଶସ୍ୱୀନ ଶ୍ରୀଚୌହାନ ଉଡାନର ପ୍ରଚେଷ୍ଟା ପାଇଁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସଭାକୁ ରୋଟାରି ଏଲିଟର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ଓ ଉଡାନର ପୂର୍ବତନ ଛାତ୍ରୀ ନିକିତା ସା ଧନ୍ୟବାଦ ଅର୍ପଣ କରିଥିଲେ ।