ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିପୁଳ ଉତ୍ସାହ ଉଦ୍ଦୀପନା, ହର୍ଷ-ଉଲ୍ଲାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରର ସଦର ମହକୁମା ଛତ୍ରପୁରରେ ୭୭ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ଜଙ୍ଗଲ, ପରିବେଶ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ । ଗଞ୍ଜାମର ବୀର ଜବାନମାନଙ୍କ ସର୍ବୋଚ୍ଚ ତ୍ୟାଗ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଏବଂ ସ୍ୱାଧୀନତା ସଂଗ୍ରାମରେ ପ୍ରାଣ ହରାଇଥିବା ବ୍ୟକ୍ତି, ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଣତି ଅବା ସଲାମୀ ଜଣାଇଥିଲେ । ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଘୁମୁସର ବିଦ୍ରୋହ, ବେଲଗୁଣ୍ଠା ଓ ପାରଳାଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ପଦଧ୍ୱନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ କରେ ବୋଲି ମନ୍ତ୍ରୀ ବ୍ୟଖ୍ୟୋ କରିଥିଲେ । ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ଚିତ୍ତାକର୍ଷକ ପରେଡ଼ ଉତ୍ସବରେ ଅଷ୍ଟମ ବାଟାଲିୟନ, ରିଜର୍ଭ ପୋଲିସ ବାହିନୀ, ହୋମଗାର୍ଡ ସମେତ ସର୍ବମୋଟ ୩୫ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଜନସଚେତନତା ପାଇଁ ସର୍ବମୋଟ ୮ଟି ପ୍ରଜ୍ଞାପନ ମେଢ ପରେଡ଼ ପଡ଼ିଆରେ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପାରଦର୍ଶିତା ପ୍ରତିପାଦନ କରିଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେଡ଼ରେ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠଦଳକୁ ଏବଂ କୃତି ଛାତ୍ର-ଛାତ୍ରୀଙ୍କୁ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ପୁରସ୍କୃତ କରିଥିଲେ । ଗାନ୍ଧୀଜୀଙ୍କ ଦାଣ୍ଡିଅଭିଯାନର ପ୍ରତୀକ ସ୍ୱରୂପ ନବନିର୍ମିତ ଗାନ୍ଧୀଜୀଙ୍କ ସହଯୋଗୀ ଦଳର ୧୧ଜଣଙ୍କ ସମୂହ ମିଳିତ ପ୍ରତିମୂର୍ତ୍ତିଗୁଡ଼ିକର ଏକ ପ୍ରକଳ୍ପ ଛତ୍ରପୁର ସର୍କିଟ ହାଉସଠାରେ ନିର୍ମିତ ହୋଇଥିବା ଲୋକର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାଷନ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ଉନ୍ନୟନ ଅଧିକାରୀ ନୀଳମାଧବ ଭୋଇ, ଛତ୍ରପୁର ପୌର-ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଟି.ରାଜେଶ୍ୱରୀ ଦୋରା, ଛତ୍ରପୁର ପୌର-ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇଥିଲେ ।