ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡ଼ା ପଞ୍ଚାୟତର ଦନ୍ଦରା ଗ୍ରାମର ବାପ ମାଆ ଛେଉଣ୍ଡ ନାବାଳିକା ଝିଅ ସୁହାନା ଦୀପ(୧୪) । ଗତ ୬ ମାସରୁ ଅଧିକ ହେବ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ଦୃଷ୍ଟି ଶକ୍ତି ହରାଇବା ପରେ ବୋଝ ହୋଇ ଘରେ ପଡିରହିଛନ୍ତି । ବଡ଼ ବାପା, ମାଆ ଏବେ ଆଶ୍ରୟ ଦେଇଛନ୍ତି । ସେମାନେ ମଧ୍ୟ ଦୃଷ୍ଟିଶକ୍ତି ହରାଇଥିବା ଝିଅକୁ ଛାଡି ବାହାରକୁ ଯାଇ ପାରୁନାହାନ୍ତି । ସବୁବେଳେ ତାକୁ ଜଗି ରହୁଛନ୍ତି । ଦୃଷ୍ଟିଶକ୍ତି ହରାଇଥିବା ଝିଅର ଅନେକ ସ୍ଥାନରେ ଚିକିତ୍ସା ମଧ୍ୟ କରିସାରିଲେଣି । ଉଚ୍ଚତର ଚିକିତ୍ସା କରାଗଲେ ଦୃଷ୍ଟିଶକ୍ତି ଫେରି ପାଇବା ଆଶା ବାନ୍ଧିଛନ୍ତି । ୨୦୧୨ରେ ଝିଅର ମାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାମାଙ୍କ ମୃତ୍ୟୁ ପରେ ଝିଅ ବେସାହାରା ହୋଇପଡିଥିବା ବେଳେ ବଡ଼ ବାପା, ମା ଆଶ୍ରୟ ଦେଇଛନ୍ତି । ଅନେକ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ଭଲ ହେବାରୁ ଉଚ୍ଚତର ଚିକିତ୍ସା ଲାଗି ସହାୟତା କରିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଥିଲେ । ଶୁକ୍ରବାର ଦିନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଦୃଷ୍ଟିଶକ୍ତି ହରାଇଥିବା ସୁହାନା ଦୀପଙ୍କ ଘରକୁ ଯାଇ ଭେଟିବା ସହ ଦୁଃଖ ସୁଖ ଆଲୋଚନା କରିଥିଲେ । ଶୀତବସ୍ତ୍ର, ଫଳମୂଳ ପ୍ରଦାନ କରିବା ସହ ନୂଆବର୍ଷ ପରେ ତାଙ୍କର ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯିବ ବୋଲି ଝିଅଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପାଇବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ । ତେବେ ଭୁବନେଶ୍ୱରରେ ଉଚ୍ଚତର ଚିକିତ୍ସା କରାଯିବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି ।