ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମ,
ଏହି ସ୍ୱାଗତ ପାଇଁ, ଏହି ଭବ୍ୟ ସମ୍ମାନ ପାଇଁ ମୁଁ ଆପଣଙ୍କ ପ୍ରତି ହୃଦୟର ଗଭୀରତାରୁ ବହୁତ କୃତଜ୍ଞତା ପ୍ରକାଶ କରୁଛି । ଆଜି ଆମେ ଚେକର୍ସରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛେ । ଉଭୟ ଭାରତ ଏବଂ ଯୁକ୍ତରାଜ୍ୟ ଏକାଠି ଏକ ନୂତନ ଇତିହାସର ମୂଳଦୁଆ ସ୍ଥାପନ କରୁଛନ୍ତି ।
ମହାମହିମ,
ଏହି ଏକ ବର୍ଷରେ ଆମେ ତୃତୀୟ ଥର ପାଇଁ ସାକ୍ଷାତ କରିବାର ସୁଯୋଗ ପାଇଛୁ । ଏହାକୁ ମୁଁ ନିଜେ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରେ । ଉଭୟ ଯୁକ୍ତରାଜ୍ୟ ଏବଂ ଭାରତ, ଦେଖିବାକୁ ଗଲେ ଏକ ପ୍ରକାର ସ୍ଵାଭାବିକ ଅଂଶୀଦାର । ଆଜି ଆମର ସମ୍ପର୍କର ଏକ ଐତିହାସିକ ଦିନ । ଆଜି ଆମର ଉଭୟ ଦେଶ ମିଳିତ ଭାବରେ ଏକ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଏବଂ ଡବଲ୍ କଣ୍ଟ୍ରିବ୍ୟୁସନ୍ କନଭେନସନ୍ ସମ୍ପନ୍ନ କରିବାକୁ ଯାଉଛନ୍ତି । ଏହା ଭାରତ ଏବଂ ଯୁକ୍ତରାଜ୍ୟର ଭବିଷ୍ୟତ ପିଢ଼ି ପାଇଁ ଏକ ବହୁତ ଦୃଢ଼ ପଥ ପ୍ରସ୍ତୁତ କରୁଛି । ଏହା ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡୁଛି । ମୁଁ ବିଶ୍ୱାସ କରେ ଏହା ଦ୍ଵାରା ଆମର କୃଷକ, ଆମର ଏମ୍‌ଏସ୍‌ଏମ୍‌ଇ ଓ ଯୁବପିଢ଼ି ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ । କେବଳ ଏତିକି ନୁହେଁ, ଏକବିଂଶ ଶତାବ୍ଦୀ ହେଉଛି ପ୍ରଯୁକ୍ତିବିଦ୍ୟା ଆଧାରିତ ଶତାବ୍ଦୀ । ଏପରି ପରିସ୍ଥିତିରେ, ଭାରତ ଏବଂ ଯୁକ୍ତରାଜ୍ୟର ଯୁବପିଢ଼ି, ବିଶେଷ କରି ଦକ୍ଷ ଯୁବଗୋଷ୍ଠୀ, ଏକ ନୂତନ ବିଶ୍ୱ ନିର୍ମାଣରେ ଏକ ବିରାଟ ଯୋଗଦାନ ଦେବେ । ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟା ପ୍ରତିଦିନ ନୂତନ ଉଦ୍ଭାବନ ଆଶା କରେ । ଯେତେବେଳେ ଯୁକ୍ତରାଜ୍ୟ ଏବଂ ଭାରତର ଦକ୍ଷ ଯୁବପିଢ଼ିଙ୍କ ବୁଦ୍ଧି, ସେମାନଙ୍କର ଦକ୍ଷତା ଏକାଠି ହୋଇଯିବ, ଏହା ବିଶ୍ୱ ପାଇଁ ବିକାଶର ଏକ ବଡ଼ ଗ୍ୟାରେଣ୍ଟି ପ୍ରଦାନ କରିବ । ଏହା ନିଯୁକ୍ତି ବୃଦ୍ଧି କରିବ, ବିକାଶକୁ ସୁଦୃଢ଼ କରିବ ଏବଂ ମୁଁ ବିଶ୍ୱାସ କରେ ଯେ ‘ଭିଜନ ୨୦୩୫’ ପାଇଁ ଆମର ବ୍ୟାପକ ରଣନୈତିକ ସହଭାଗୀତା ନୂତନ ଗତି, ନୂତନ ଶକ୍ତି ପାଇବ ।
ମହାମହିମ,
ପୁଣି ଥରେ, ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହି ସୁନ୍ଦର ଆରମ୍ଭରେ ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ସହଭାଗୀତାକୁ ସୁଦୃଢ଼ କରିବାରେ ଆପଣଙ୍କର ବହୁତ ବଡ଼ ଭୂମିକା ଅଛି। ମୁଁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

jittmm
Leave A Reply

Your email address will not be published.