ମରିସସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ ରାଷ୍ଟ୍ରପତି ଧରମବୀର ଗୋକୁଲଙ୍କୁ ରାଜ ଭବନରେ ସାକ୍ଷାତ କରିଛନ୍ତି । ଦୁଇ ନେତା ଭାରତ ଓ ମରିସସ ମଧ୍ୟରେ ସ୍ୱତନ୍ତ୍ର ଓ ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଲାଗି ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ସହଭାଗୀ ଇତିହାସ ଏବଂ ଦୃଢ଼ ନାଗରିକ ସମ୍ପର୍କ ବିଷୟରେ ସ୍ମରଣ କରିଥିଲେ । ଦ୍ୱିତୀୟ ଥର ଲାଗି ମରିସସର ଜାତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱତନ୍ତ୍ର ଅଭିବ୍ୟକ୍ତି ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ମରିସସ ରାଷ୍ଟ୍ରପତି ଗୋକୁଳ ଏବଂ ପ୍ରଥମ ମହିଳା ବୃନ୍ଦା ଗୋକୁଳଙ୍କୁ ଓସିଆଇ କାର୍ଡ ହସ୍ତାନ୍ତର କରିଥିଲେ । ରାଜ ଭବନ ଠାରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଆୟୁର୍ବେଦ ଉଦ୍ୟାନ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଆୟୁର୍ବେଦ ସମେତ ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭକୁ ଆଗେଇ ନେବାରେ ମରିସସ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଆଲୋଚନା ପରେ, ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ରାଷ୍ଟ୍ରପତି ଗୋକୁଳ ଏକ ରାଜକୀୟ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ ।

Leave A Reply

Your email address will not be published.