
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ସରକାରଙ୍କୁ ଦେଇଥିବା ଆଠ ଦଫା ଦାବୀମଧ୍ୟରୁ ଭୋଟ ରାଜନୀତି କରି ଲଲିପପ୍ ସଦୃଶ ମାତ୍ର ଗୋଟିଏ ଦାବୀ ବିଗତ ସରକାର ପୂରଣ କରିଥିଲା । ମାତ୍ର ବାରମ୍ବାର ସାମୁହିକ ଦାବୀ ସତ୍ତ୍ୱେ ଏ ନୂଆଁ ସରକାର ମଧ୍ୟ ଚୁପ୍ ବସିଥିବାରୁ ଓ ଡ୍ରାଇଭରଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବାରୁ ଆସନ୍ତା ୦୮ ତାରିଖରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଥିବା ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ଗଣମାଧ୍ୟମଙ୍କୁ ଲିଖିତ ସୁଚନା ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ୬ଦିନ ବ୍ୟାପୀ ଭୁବନେଶ୍ଵର ଲୋୟର ପିଏମଜିରେ ମହାସଂଘ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ ସରକାର ଅଣଦେଖା କରିଥିବାରୁ ବାଧ୍ୟ ହୋଇ ସମୂହ ଆନ୍ଦୋଳନ କରିବାକୁ ସ୍ଥିର କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ସଂଘ ତରଫରୁ ୭ଦଫା ଦାବୀ ନେଇ ଏହି ଆନ୍ଦୋଳନ କରାଯାଉଥିବା ଜଣାପଡିଛି । ଦାବୀଗୁଡ଼ିକ ମଧ୍ୟରେ ୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ, ପାର୍କିଂ ଫି ଓ କଡାକଡି ନିୟମକୁ କୋହଳ କରିବା, ସେପ୍ଟେମ୍ବର ୧ତାରିଖକୁ ଜାତୀୟ ଡ୍ରାଇଭର ଦିବସ ଭାବେ ପାଳନ, ଗାଡ଼ିର କାଗଜ ପତ୍ର ଯାଞ୍ଚ ଦାୟିତ୍ଵ ପରିବହନ ବିଭାଗକୁ ପ୍ରଦାନ, ଓଡ଼ିଶା ଖଣି ଖାଦାନରେ ଓଡ଼ିଆ ଡ୍ରାଇଭରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଅଟୋ ଚାଳକଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏଣ୍ଡ ୱେଲ୍ ଫେଆର ବୋର୍ଡରେ ସାମିଲ ପ୍ରମୁଖ ୭ଦଫା ଦାବୀକୁ ସରକାର ଶୀଘ୍ର ମାନି ନେବାକୁ ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ସଂଘ ନଚେତ ସାଧାରଣ ଲୋକଙ୍କ କିଛି ଅସୁବିଧା ବା କ୍ଷୟକ୍ଷତି ହେଲେ ଏଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମୁରିବାହାଲ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଏ ସମ୍ପର୍କରେ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନକୁ ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସହଯୋଗ ପାଇଁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ଡ଼୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା କମିଟି ସଭାପତି ଦୁଷ୍ମନ୍ତ ପଧାନ, କାର୍ଯ୍ୟକାରୀ ସଭାପତି ବିକାଶ ପୋଡ଼, ସାଙ୍ଗଠନିକ ସଭାପତି କୈବଲ୍ୟ ଶିକା, ଉପସଭାପତି ପବିତ୍ର ମହାଲିଙ୍ଗ, ସମ୍ପାଦକ ସୁନୀଲ ବାଗ, ସହ-ସମ୍ପାଦକ ଜକସନ୍ ସେଲମା, କୋଷାଧକ୍ଷ ନେତ୍ରାନନ୍ଦ ମାଝୀ, ଉପଦେଷ୍ଟା ବିକ୍ରମ କର୍ମୀ, ଘାସିରାମ ସେଠ୍, ପ୍ରମୋଦ ଦାସ ପ୍ରମୁଖ କର୍ମକର୍ତ୍ତା ଦାବୀପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।