ସମାବେଶୀ ଉନ୍ନତିର ଏକ ମଡେଲ୍ : ମହିଳା କୃଷକମାନଙ୍କ ଦ୍ୱାରା ସଜନା ଚାଷ ଓ ସାମୁହିକ ବିପଣନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଜନା (ଡ୍ରମଷ୍ଟିକ୍) ଚାଷ ଓ ବିପଣନ ଗ୍ରାମୀଣ ମହିଳାମାନଙ୍କ ପରିବାରିକ ଆୟ ଓ ଜୀବିକାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବୃଦ୍ଧି କରିଛି । ଏହି ପ୍ରୟାସଟି ମିଲିତ୍ ଉତ୍ଥାନ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍‌ଙ୍କ ସାମୁହିକ ପ୍ରୟାସର ଫଳ, ଯାହାକୁ ଓଡିଶା ସରକାର, ଭାରତ ରୁରାଲ୍ ଲିଭଲିହୁଡ୍ସ ଫାଉଣ୍ଡେସନ୍ (ବି: ଆର୍:ଏଲ୍: ଏଫ୍) , ପ୍ରଦାନ ଏବଂ ସ୍ଥାନୀୟ ସଂଗଠନ ଜନମୁକ୍ତି ଅନୁଷ୍ଠାନ ସମର୍ଥନ କରୁଛନ୍ତି । ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକ୍‌ରେ ଅବସ୍ଥିତ ମିଲିତ୍ ଉତ୍ଥାନ ମହିଳା ଫାର୍ମର୍ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍‌କୁ ଜନମୁକ୍ତି ଅନୁଷ୍ଠାନଙ୍କ ମାଧ୍ୟମରେ ଏପିସି ପ୍ରକଳ୍ପ ଅଧୀନରେ ପ୍ରୋତ୍ସାହନ ଦିଆଯାଇଛି । ଏହି କମ୍ପାନୀ ପ୍ରଡ୍ୟୁସର୍ ଗ୍ରୁପ୍ (ପି: ଜି) ସଦସ୍ୟମାନଙ୍କ ମଧ୍ୟରେ ସଜନା ଚାଷକୁ ପ୍ରୋତ୍ସାହନ ଦେଇଥିବା ସହିତ, ଉଚ୍ଚ ଉତ୍ପାଦନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ଷେତ୍ରରେ ସାମୁହିକ ବିପଣନ ବ୍ୟବସ୍ଥା କରିଛି । ପି:ଜି ସଦସ୍ୟାମାନେ ସଜନା ଫସଲ ଉତ୍ପାଦନ କରି ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକରେ ଆଣି ଜମା କରିଥିଲେ । ଯାହାକୁ ପ୍ରଡ୍ୟୁସର୍ କମ୍ପାନୀ ପରିଚାଳନା କରୁଥିଲା । ଏହି ସାମୁହିକ ବିପଣନ ପ୍ରକ୍ରିୟା ୨୦୨୬ମସିହାର ଫେବୃଆରୀ ମାସର ଶେଷ ସପ୍ତାହରୁ ଆରମ୍ଭ ହୋଇ ମାର୍ଚ୍ଚ ମାସର ମଝିଭାଗ ପର୍ଯ୍ୟନ୍ତ ଚାଲିଥିଲା । ଏପର୍ଯ୍ୟନ୍ତ ପ୍ରଡ୍ୟୁସର୍ କମ୍ପାନୀ ୧୪ଗୋଟି ପ୍ରଡ୍ୟୁସର୍ ଗ୍ରୁପ୍‌ର ୨୦୨ ଜଣ କୃଷକଙ୍କ ଠାରୁ ମୋଟ ୫୨୭.୪୨ କ୍ୱିଣ୍ଟାଲ୍ ସଜନା ସଂଗ୍ରହ କରିଛି । ଏହି ସାମୁହିକ ଉତ୍ପାଦକୁ କଲିକତା ବଜାରକୁ ବିଭିନ୍ନ ବ୍ୟବସାୟୀଙ୍କ ମାଧ୍ୟମରେ ଦଳଗତ ଭାବେ ବିକ୍ରୟ କରାଯାଇଥିବାରୁ ମୋଟ ଟ:୫୨,୧୬,୮୪୦ଙ୍କା ଆୟ ହୋଇଛି । ଏହି ପ୍ରୟାସ ମାଧ୍ୟମରେ କୃଷକମାନଙ୍କ ପାଇଁ ନିଶ୍ଚିତ ଓ ସଂଗଠିତ ବଜାର ସୁବିଧା ସୃଷ୍ଟି ହୋଇଛି । ଯେଉଁଥିରେ ଓଜନ ଆଧାରିତ ପାରଦର୍ଶୀ ବିପଣନ ପ୍ରଣାଳୀ ଅନୁସରଣ କରାଯାଉଛି । ମଧ୍ୟସ୍ଥମାନଙ୍କ ଶୋଷଣକୁ କମାଇବା ସହିତ ସାମୁହିକ ସଂଗ୍ରହ ମାଧ୍ୟମରେ କୃଷକମାନଙ୍କ ବାର୍ଗେନିଂ କ୍ଷମତା ବୃଦ୍ଧି ପାଇଛି । ଏହା ଫଳରେ ପି:ଜି ସଦସ୍ୟାମାନଙ୍କ ଆୟରେ ଲକ୍ଷଣୀୟ ବୃଦ୍ଧି ଘଟିଥିବା ସହିତ ସ୍ଥାୟୀ ଜୀବିକା ବିକାଶକୁ ସହଯୋଗ ମିଳିଛି । ଏହାରି ମାଧ୍ୟମରେ ଚାଷୀର ଆୟ ଦ୍ଵିଗୁଣିତ ହେବା ସହ ସେମାନଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇପାରୁଛି ବୋଲି ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.