ସଇଁନ୍ତଲା ବ୍ଳକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ୩ଟି ବ୍ଳକ ଦାୟିତ୍ୱରେ ଗୋଟିଏ ବ୍ଳକ ଶିକ୍ଷା ଅଧିକାରୀ, ବଦଳି ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ଓ ସେମାନଙ୍କର ଦାୟିତ୍ୱ ନେବା ପାଇଁ ବ୍ଳକକୁ ଜଣେ ଲେଖାଏଁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା, ଦେଓଗାଁ ଓ ଗୁଡଭେଲା ବ୍ଳକ ପାଇଁ ବ୍ଳକ ଶିକ୍ଷା ଅଧିକାରୀ ଭାବରେ ଗୋବର୍ଦ୍ଧନ ଭୋଇଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଏଠି ଶିକ୍ଷାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି । କାରଣ ତିନିଟି ବ୍ଳକର ଦ୍ୱାୟିତ୍ୱ ତୁଲାଉଛନ୍ତି ଗୋଟିଏ ବ୍ଲକ ଶିକ୍ଷା ଅଧିକାରୀ । ଫଳରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଦୃଷ୍ଟିରୁ ବିଚାର କଲେ ମାସକୁ ଗୋଟିଏ ବ୍ଳକକୁ ୧୦ ଦିନ ପଡୁଛି । ସେଥି ମଧ୍ୟରୁ ସରକାରୀ ଛୁଟି ମଧ୍ୟ ରହିଛି । ତେବେ କିଭଳି ଭାବେ ଶିକ୍ଷାର ବ୍ୟବସ୍ଥା ରହିଛି ତାହା ସହଜେ ଅନୁମାନ । ଶିକ୍ଷା ବିଭାଗର ଅନ୍ୟାନ୍ୟ କାମ କେମିତି ହେବ ଓ ସଂପୃକ୍ତ ବିଇଓ ବ୍ଳକର ୨୦୧ ସ୍କୁଲକୁ କିପରି ତଦାରଖ କରିବେ ବୋଲି ଶିକ୍ଷାବିତ ମାନେ ପ୍ରଶ୍ନ କରିଛନ୍ତି । ତେବେ ବିଇଓ ବିଭିନ୍ନ ବାହାନା କରି ଉକ୍ତ କାର୍ଯ୍ୟାଳୟକୁ ମନ ଇଚ୍ଛା ଆସୁଥିବା ନେଇ ଲୋକ ମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ବ୍ଳକକୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କିଛି କିରାଣୀ ମାନେ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ କାର୍ଯ୍ୟାକଳାପକୁ ନେଇ ଲୋକେ ଅସନ୍ତୋଷ କରୁଥିବା ବେଳେ ତାଙ୍କୁ ବଦଳି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.