
କଟକ : ସରିଲା ନିର୍ଗୁଣ୍ଡି ନିକଟ ଟ୍ରାକ୍ ମରାମତି । ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ । ରବିବାର ଅପରାହ୍ନରୁ ଆରମ୍ଭ ପୁନରୁଦ୍ଧାର କାର୍ଯ୍ୟ ୨୦ ଘଣ୍ଟାରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କଲେ ରେଳବାଇ କର୍ମଚାରୀ । ସାଧାରଣ ଟ୍ରେନ୍ ସେବା ସୁନିଶ୍ଚିତ କରିବା ପାଇଁ ସୋମବାର ସକାଳ ସୁଦ୍ଧା ରେଳ କର୍ମଚାରୀମାନେ ଟ୍ରାକଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ସମଗ୍ର ଉଦ୍ଧାର କାର୍ଯ୍ୟ ଇସିଓଆର୍ ମହାପ୍ରବନ୍ଧକଙ୍କ ଦ୍ୱାରା ତଦାରଖ କରାଯାଇଥିଲା । ସୂଚନା ଅନୁସାରେ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ହେବ । କଟକ ରେଳ ଷ୍ଟେସନ୍ ଛାଡ଼ି ଆସାମର ଗୌହାଟୀ ଅଭିମୁଖେ ଆଗକୁ ବଢ଼ୁଥାଏ ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ୍ ଏକ୍ସପ୍ରେସ୍ । ଟ୍ରେନ୍ଟି ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର୍ ହଲ୍ଟ ପରେ ଏକ ବୁଲାଣି ଅତିକ୍ରମ କରୁଥିଲା । ହଠାତ୍ ଧଡ଼ଧଡ଼ ଶବ୍ଦ କରିବା ସହ ଟ୍ରେନ୍ର ଅଧାରୁ ଅଧିକ କୋଚ୍ ରେଳ ଲାଇନ୍ରୁ ବାହାରି ବାମପଟକୁ ଢଳିପଡ଼ିଥିଲା । କୋଚ୍ଗୁଡ଼ିକ ପରସ୍ପର ସହିତ ଧକ୍କା ହୋଇ କିଛି ମିଟର ମାଟିରେ ଘୁଷୁଡ଼ିବା ପରେ ଅଟକି ଯାଇଥିଲା । ଏହି ରେଳ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ, କୋଚ୍ଗୁଡ଼ିକ ପଲଟି ନଥିବାରୁ ବଡ଼ ଏକ ବିପଦ ଟଳିଯାଇଥିବା ଓ ଟ୍ରେନ୍ରେ ଥିବା ୧୬ ଶହରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା କୁହାଯାଉଛି ।