ଗୁଞ୍ଚିତରା ୟୁପି ସ୍କୁଲରେ ଦୁଇ ଦିନିଆ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସିରୋଲ୍ କ୍ଳଷ୍ଟର୍ ଅଧିନସ୍ଥ, ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସିରୋଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇ ଦିନିଆ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସ ତାରିଖ ୧୨.୦୧.୨୦୨୬ (ସୋମବାର) ଦିନରେ ସର୍ବ ପ୍ରଥମେ ଅଗ୍ର ପୂଜ୍ୟ ଶ୍ରୀ ଗଜାନନଙ୍କ ପାଦ ପଦ୍ମରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରାଯାଇଥିଲା ପରେ ପରେ ମଞ୍ଚରେ ଅବସ୍ଥାନ ଅତିଥି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ଏବଂ ବରିଷ୍ଠ ଶିକ୍ଷକ କେଶରୀ ଚନ୍ଦ୍ର ସାହୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତଦ୍ ପରେ ପରେ ଉପସ୍ଥିତ ସମସ୍ତଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ନାଗ୍ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କାର୍ଯ୍ୟକ୍ରମ ଟିକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ । ଏହି ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାରେ ଅଂଶଗ୍ରହଣ କରିବା ନିମନ୍ତେ ସିରୋଲ୍ କ୍ଳଷ୍ଟର୍ ଅଧିନସ୍ତ ସମସ୍ତ ୧୫ ଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଆସି ଯୋଗ ଦେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଶିକ୍ଷଣ ଉପଯୋଗୀ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀଗୁଡ଼ିକ ନିଜ ନିଜର ସ୍ଵକୌଶଳରେ ନିର୍ମାଣ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ବ୍ୟବହାର ତଥା ଶିକ୍ଷଣ ଉପଯୋଗୀତା ଉପରେ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଏକ ମେଳା ଆକାରେ ପ୍ରଦର୍ଶନ କରି ସେମାନଙ୍କୁ ଅବଗତ କରାଗଲା । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ଆନ୍ତରିକତାର ସହକାରେ ପୂର୍ଣ୍ଣ ସହଯୋଗ ଜ୍ଞାପନ କରିଥିଲେ ତଦ୍ ସଙ୍ଗେ ସଙ୍ଗେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ, ସରୋଜିନୀ ମିଶ୍ର, ପ୍ରିୟଦର୍ଶିନୀ ସ୍ୱାଇଁ, ନୀଳମଣି ଦୀପ୍ ଓ ଗୌରଚନ୍ଦ୍ର ଭୋଇ ମଧ୍ୟ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମଟି ବାସ୍ତବିକ ବହୁତ ସୁନ୍ଦର ଏବଂ ଆନନ୍ଦ ଦାୟକ ହୋଇଥିଲା । ଏହି କାର୍ଯ୍ୟକ୍ରମର ଶିକ୍ଷଣୀୟ କୌଶଳ ଗୁଡ଼ିକୁ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉପଭୋଗ କରିଥିଲେ । ଦ୍ଵିତୀୟ ଦିବସ ତାରିଖ ୧୩ରିଖ ମଙ୍ଗଳବାର ଅପରାହ୍ଣରେ ଗ୍ରାମବାସୀ ଭଦ୍ରବୃନ୍ଧ ଏବଂ ପରିଚାଳନା ସମିତିର ସଭାପତି କୁନୁ ସାହୁ ଓ ଅନ୍ୟ ସଦସ୍ୟ, ସଦସ୍ୟାମାନେ ମଧ୍ୟ ପରିଦର୍ଶନ ନିମନ୍ତେ ଆସି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି କଳା କୌଶଳକୁ ଦେଖି ପ୍ରଶଂସା ସାଉଁଟି ଥିଲେ । କାର୍ଯ୍ୟକ୍ରମର ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ନାଗ୍ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଏହାର ପରିସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.