- ସାମାଜିକ ସମରସତା ଏବଂ ନାରୀ ଉତ୍ଥାନର ପ୍ରେରଣା ଉତ୍ସ ହେଉଛି ‘ଲକ୍ଷ୍ମୀ ପୁରାଣ’ : ବିଷ୍ଣୁ ପାତ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ବିର୍ସା ମୁଣ୍ଡା ନଗର ଶାଖା ଦ୍ୱାରା ଆୟୋଜିତ ମାସିକ ସାରସ୍ଵତ ସମାବେଶରେ ‘ନାରୀ ଉତ୍ଥାନ ଓ ସାମାଜିକ ସମରସତାର ବୈପ୍ଳବିକ ସ୍ୱର : ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଆଲୋଚନା ଚକ୍ର ରାଉରକେଲା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଧରିତ୍ରୀ ପାଇକରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପରିଷଦର ନଗର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଓଡ଼ିଶା ପଶ୍ଚିମ ପ୍ରାନ୍ତର ବରିଷ୍ଠ ପ୍ରଚାରକ ବିଷ୍ଣୁ ପାତ୍ର । ନଗର ସଂପାଦକ ଅଧ୍ୟାପକ ଆଭାସ କୁମାର ହୋତା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ନ୍ୟାସା ଅଗ୍ରୱାଲ ପ୍ରାରମ୍ଭରେ ଲକ୍ଷ୍ମୀ ପୁରାଣ ଗାନ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ଏହି ଅବସରରେ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ଡ. ସୁଷମା ମୋଦୀ ଏବଂ ରାଉରକେଲା କଲେଜର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ପଲାଇ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଉପରେ ବିଶେଷ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ଏବଂ ଆଲୋଚିକାମାନେ ନିଜ ନିଜ ବକ୍ତବ୍ୟରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’କୁ ସାମାଜିକ ସମରସତା ତଥା ଓଡ଼ିଆ ନାରୀ ସଶକ୍ତିକରଣ ପାଇଁ ଏକ ବୈପ୍ଳବିକ ସ୍ୱର ବୋଲି ଅଭିହିତ କରିଥିଲେ । ତତ୍କାଳୀନ ସମୟର ଜାତିଭେଦ, ପୁରୁଷକର୍ତ୍ତୃକ ସମାଜର ଚିତ୍ର, ନାରୀ ସ୍ୱାଭିମାନ, ନାରୀ ସ୍ୱାଧୀନତା, ସ୍ୱଚ୍ଛତା ପ୍ରତି ସଚେତନତା, ଓଡ଼ିଆ ଖାଦ୍ୟପେୟ, ଓଡ଼ିଶୀ ଅଳଙ୍କାର, ଜଗନ୍ନାଥ ଚେତନା, ସ୍ଥାପତ୍ୟ ଶିଳ୍ପ, ଆଦର୍ଶ ପତ୍ନୀ, ଆଦର୍ଶ ଭ୍ରାତା, ସମାଜ ଗଠନରେ ନାରୀମାନଙ୍କର ଭୂମିକା ଏବଂ ଓଡ଼ିଆ ଜୀବନ ଦର୍ଶନ ପ୍ରଭୃତି ଅନେକ ଅନାଲୋଚିତ ବିଷୟ ସହ ସାଂପ୍ରତିକ ସମାଜ ତଥା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ଲକ୍ଷ୍ମୀ ପୁରାଣର ପ୍ରଚ୍ଛନ୍ନ ପ୍ରେରଣା ସମ୍ପର୍କରେ ଉପସ୍ଥିତ ଅତିଥି-ଆଲୋଚିକାମାନେ ବକ୍ତବ୍ୟରେ ରଖିଥିଲେ । କବିତା ଆବୃତ୍ତି ପର୍ଯ୍ୟାୟରେ ବିଶିଷ୍ଟ କବି ତଥା ଗାଳ୍ପିକ ବ୍ରଜେନ୍ଦ୍ର କୁମାର ଦାଶ ଅଧ୍ୟକ୍ଷତା କରିଥିଲା ବେଳେ କବିତା ସଂଯୋଜନା କରିଥିଲେ ଯୁବ ଗବେଷିକା, କବି ମୋନାଲିସା ବେହେରା ଏବଂ ତରୁଣ କବି, ଛାତ୍ର ଦୀପକ କୁମାର ସାହୁ । ହରିହର ଶତପଥୀ, ସୁଭାଷିନୀ ସାହୁ, ଅମୀୟ ମହାନ୍ତି, ରଞ୍ଜିତା ପାଣିଗ୍ରାହୀ, କରୁଣାକର ପାଟ୍ଟଶାଣୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ନଗର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ଅଧ୍ୟାପିକା ରଞ୍ଜିତା ପାଣିଗ୍ରାହୀଙ୍କୁ ନଗର ସମ୍ପର୍କ ପ୍ରମୁଖ ଭାବେ ନୂତନ ଦାୟିତ୍ୱ ଘୋଷଣା ସହ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ନଗର ଉପସଭାପତି ତଥା ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଜୟ କୁମାର ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ । ନିର୍ମଳ ମୁଣ୍ଡା ନଗର ସଭାପତି ଗିରିଜା ଶଙ୍କର ଗୋସ୍ୱାମୀ, ରମେଶ ଚନ୍ଦ୍ର ସିଂହ, ବିଭୁଦତ୍ତ ବେହେରା, ଗୌତମ ଦାସ, ଗୀତାଞ୍ଜଳି ମହାରଣା, ପ୍ରଭାସିନୀ ସାହୁ, ନିରୁପମା ଚାନ୍ଦ, ରମେଶ ଚନ୍ଦ୍ର ସାହୁ, ପ୍ରିୟା ପାତ୍ର, ସ୍ୱର୍ଣ୍ଣଲତା ଘଡେଇ, ପୁତୁଲ ଡୋଗରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।