
ନୂଆଦିଲ୍ଲୀ, (କେପିଏନ୍ଏସ୍) : ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ଶୋକବାର୍ତ୍ତାରେ କହିଛନ୍ତି ଯେ, “ପ୍ରସିଦ୍ଧ ଓଡ଼ିଆ କବି, ବିଦ୍ୱାନ ଏବଂ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ମହତ୍ତର ସଦସ୍ୟ ରମାକାନ୍ତ ରଥ ଆଉ ନାହାନ୍ତି ବୋଲି ଜାଣି ଖୁବ୍ ଦୁଃଖ ଲାଗୁଛି । ତାଙ୍କ କବିତା ଅଗଣିତ ବ୍ୟକ୍ତିଙ୍କୁ ଗଭୀର ଭାବରେ ଆତ୍ମନିରୀକ୍ଷଣ କରିବାକୁ ତଥା ଭୌତିକ ଜଗତ ବାହାରେ ଜୀବନ, ମୃତ୍ୟୁ, ଅସ୍ତିତ୍ୱ ବିଷୟରେ ଜିଜ୍ଞାସା କରିବାକୁ ସାହାଯ୍ୟ କରିଥିଲା । ଏଥି ସହିତ ଅନେକଙ୍କୁ ନିଜ ନିଜର ସାଂସ୍କୃତିକ ମୂଳକୁ ପୁନର୍ବାର ଖୋଜିବା ଏବଂ ପୁନଃଆବିଷ୍କାର କରିବାକୁ ଶକ୍ତି ଦେଇଥିଲା । “ଶ୍ରୀରାଧା” ଏବଂ “ସପ୍ତମ ଋତୁ” ଭଳି ତାଙ୍କର ପ୍ରସିଦ୍ଧ ଏବଂ ଅମର କୃତିଗୁଡିକ ଆତ୍ମ – ଆବିଷ୍କାରର ଯାତ୍ରାରେ ସର୍ବଦା ସାହାଯ୍ୟ କରୁଥିବେ” । ସୂଚନାଯୋଗ୍ୟ ଯେ, ରମାକାନ୍ତ ରଥ ଓଡ଼ିଆ କବିତାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଆଧୁନିକତାବାଦୀ ଏବଂ ଦାର୍ଶନିକ ଆଭିମୁଖ୍ୟ ପାଇଁ ସେ ସର୍ବଭାରତୀୟ ସ୍ତରରେ ସୁପରିଚିତ । ତାଙ୍କର କବିତା ସଂକଳନଗୁଡ଼ିକ ମଧ୍ୟରେ ରହିଛି କେତେ ଦିନର, ସଂନ୍ଦିଗ୍ଧ ମୃଗୟା , ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ଏବଂ ଶ୍ରୀ ପଳାତକ ଇତ୍ୟାଦି । ମହାନ କୃତି ‘ଶ୍ରୀରାଧା’ ପାଇଁ ୧୯୯୨ ମସିହାରେ ତାଙ୍କୁ ସରସ୍ୱତୀ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର କୃତିଗୁଡ଼ିକ ଇଂରାଜୀ ସମେତ ଅନେକ ଭାରତୀୟ ଭାଷାରେ ଅନୂଦିତ ହୋଇଛି । ସେ ୧୯୭୭ରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ରେ ଶାରଳା ପୁରସ୍କାର, ୧୯୯୦ରେ ବିଷୁବ ସମ୍ମାନ ଲାଭ କରିଥିଲେ ଏବଂ ୨୦୦୯ରେ ତାଙ୍କୁ ସାହିତ୍ୟ ଏକାଡେମୀର ମହତ୍ତର ସଦସ୍ୟ ଭାବରେ ସମ୍ମାନିତ କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହିତ ଶ୍ରୀ ରଥ ଓଡ଼ିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ବିଭିନ୍ନ ବିଭାଗରେ ସଚିବ ଏବଂ ଓଡ଼ିଶାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । ୨୦୦୬ ମସିହାରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା । ଆସନ୍ତାକାଲି ସାହିତ୍ୟ ଏକାଡେମୀର ସମସ୍ତ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହେବ ଏବଂ ତାଙ୍କ ସମ୍ମାନାର୍ଥେ ଦ୍ୱିତୀୟାର୍ଦ୍ଧରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।