ଗରିବ ଭାଇ ଭଉଣୀଙ୍କୁ ଫିଡ୍‌ର ଶିକ୍ଷା ସହାୟତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଦାତବ୍ୟ ଅନୁଷ୍ଠାନ ଫିଡ (ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ବିଜେପୁର ବ୍ଲକ ଅନ୍ତର୍ଗତ ସୁରୁବାଳି ଗ୍ରାମର କୁମାରୀ ଦୀପିକା ସୁନା ଏବଂ ତାଙ୍କ ଭାଇ ଇପକ ସୁନାଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଦୀପିକା ଓ ଇପକଙ୍କ ତାଙ୍କ ମାତାଙ୍କ ସହ ମାମୁଁଘରେ ରହୁଛନ୍ତି । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସେମାନେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଚାହୁଁଥିଲେ, କିନ୍ତୁ ପାରିବାରିକ ଆର୍ଥିକ ଦୁର୍ବଳତା ସେମାନଙ୍କ ଶିକ୍ଷାରେ ବାଧକ ସାଜିଥିଲା । ଏହି ସୂଚନା ପାଇ ଫିଡ୍ ଟ୍ରଷ୍ଟର ଚେୟାରମ୍ୟାନ ଫଣୀନ୍ଦ୍ର କୁମାର ତାଣ୍ଡି ଆଜ୍ଞା ଏବଂ ଅନ୍ୟ ସଦସ୍ୟ କ୍ରୀଷ୍ଣା ସୁନା, ଲକ୍ଷ୍ମଣ ଛୁରିଆ, ବୁଦ୍ଧଦେବ ବାରିକ, ଜୟରାମ ବାଗ ଓ ଈଶ୍ୱର ନାଗ ସୁରୁବାଳି ଗ୍ରାମକୁ ଯାଇ ଦୀପିକା ଓ ଇପକଙ୍କୁ ମିଳିତ ଭାବେ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ଜଣେ ପ୍ରତି ୫,୦୦୦ ଟଙ୍କା ପ୍ରଦାନ କରିଥିଲେ । ଦୀପିକା ଓ ଇପକ ମାମୁଁଘରେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ରହୁଛନ୍ତି। ସେମାନଙ୍କ ମାମୁଁଙ୍କ ପଲିଥିନ୍ ଘରେ ବସିବା ପାଇଁ ପର୍ଯ୍ୟାପ୍ତ ଜାଗା ମଧ୍ୟ ନାହିଁ । ଫିଡ୍ ସଦସ୍ୟମାନେ ପ୍ରଥମେ ଇପକଙ୍କୁ ୫,୦୦୦ ଟଙ୍କାର ସହାୟତା ଦେବା ପାଇଁ ଯାଇଥିଲେ । କିନ୍ତୁ ଦୀପିକାଙ୍କର ଅସହାୟ ଅବସ୍ଥା ଓ ତାଙ୍କର ବାରମ୍ବାର ସାହାଯ୍ୟ ନିବେଦନ ଦେଖି ଟ୍ରଷ୍ଟର ସଦସ୍ୟମାନେ ମନସ୍ତାପରେ ଆପ୍ଲୁତ ହୋଇପଡ଼ିଥିଲେ । ଆଲୋଚନା ପରେ ଦୀପିକାଙ୍କୁ ମଧ୍ୟ ୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଗଲା । ଏହି ସମୟରେ ଦୀପିକା ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ତାଙ୍କ ମାତା ଓ ଇପକ ମଧ୍ୟ ଆବେଗରେ ଲୋତକପୂର୍ଣ୍ଣ ହୋଇପଡ଼ିଥିଲେ । ସଦସ୍ୟମାନେ ସେମାନଙ୍କୁ ସାନ୍ତ୍ୱନା ଦେଇ ଫେରିଥିଲେ । ଦୀପିକା କହିଥିଲେ ଯେ ଏହି ସହାୟତା ତାଙ୍କୁ ଶିକ୍ଷା ଜାରି ରଖିବାରେ ସାହାଯ୍ୟ କରିବ ଏବଂ ଭବିଷ୍ୟତରେ ସେ ଏହି ଋଣ ସମାଜକୁ ଫେରାଇବେ । ଦୀପିକା ବିଜେପୁର କଲେଜରେ ଯୁକ୍ତ ଦୁଇ (କଳା)ରେ ନାମ ଲେଖାଇଛନ୍ତି, ଯେଉଁଠି ଆଡ଼ମିଶନ ପାଇଁ ୧୫,୦୦୦ ଟଙ୍କା ଆବଶ୍ୟକ ଥିଲା । ତାଙ୍କୁ ୫,୦୦୦ ଟଙ୍କା ମିଳିଥିଲେ ହେଁ ବାକି ୧୦,୦୦୦ ଟଙ୍କା ପାଇଁ ସେ ସହାୟତା ଆବେଦନ କରିଥିଲେ । ଅନୁଷ୍ଠାନର ଆର୍ଥିକ ସଙ୍କଟ ଯୋଗୁଁ ଅଧିକ ସହାୟତା ଦିଆଯାଇ ପାରିନଥିଲା । ସେହିପରି ଇପକଙ୍କୁ ଜାଳପାଲି କଲେଜରେ ଆଡ଼ମିଶନ ପାଇଁ ୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଫିଡ୍‌ର ଏହି ଉଦ୍ୟମ ଦୀପିକା ଓ ଇପକଙ୍କ ଶିକ୍ଷାକୁ ଆଗେଇ ନେବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି । ଯାହା ଅନ୍ୟ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ ।

jittmm
Leave A Reply

Your email address will not be published.