ଶହେଟି ଦାଦନ ଓ ଅତି ଗରିବ ଆଦିବାସୀ ପରିବାରଙ୍କ ଜୀବନ ଜୀବିକା ନିମନ୍ତେ ଛେଳି ପାଳନ ସହାୟତା ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ସ୍ଥିତ ଜନମୁକ୍ତି ଅନୁଷ୍ଠାନ ଆନୁକୁଲ୍ୟରେ ତଥା ଅଜୀମ୍‌ ପ୍ରେମଜୀ ଫାଉଣ୍ଡେସନ୍‌ ସହାୟତାରେ ‘ପ୍ରବାସୀ ତଥା ଆଦିବାସୀ ସମୁଦାୟର ଚିରନ୍ତନ ଜୀବିକା ବିକାଶ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରଣ’ କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକର ୬ ଗୋଟି ଗ୍ରାମ ପଞ୍ଚାୟତ ଯଥା ହଳଦୀ, ବିଟାବନ୍ଧ, ମାଳିଶିରା, ଗୁଡ଼ିଘାଟ, ଇଚ୍ଛାପଡ଼ା ଓ ବଡ଼ସାଇମରାର ୩୦ଟି ଗ୍ରାମରେ ଚାଲୁଅଛି । ପ୍ରତ୍ୟେକ ଗ୍ରାମରେ ଶ୍ରମିକ ସଂଗଠନ ଆଦିବାସୀ ପରିବାରଙ୍କୁ ନେଇ ଗଠନ କରାଯାଇଛି । ସେହି ଶ୍ରମିକ ସଂଗଠନ ମାଧ୍ୟମରେ ଦାଦନ, ଅତି ଗରିବ ଓ ଭୂମିହୀନ ପରିବାର ମାନଙ୍କୁ ଚୟନ କରାଯାଇ ଏକ ଶହ ପରିବାରଙ୍କୁ ୨ ଶହ ଗୋଟି ଦେଶୀ ମାଈ ଛେଳି ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ଅଜୀମ୍ ପ୍ରେମଜୀ ଫାଉଣ୍ଡେସନ୍‌ ସହଯୋଗରେ ସହାୟତା କରାଯାଇଛି । ଯାହାର କି ସେହି ପରିବାର ଗୁଡ଼ିକର ଜୀବନ ଜୀବିକାକୁ ସୁଦୃଢ କରିବାରେ ଏହା ସହାୟକ ହେବ । ବିଭିନ୍ନ ପ୍ରକାରର ପଶୁ ପାଳନର ତାଲିମ ସମସ୍ତ ଗ୍ରାମରେ କରାଯାଇଛି । ସେଥିପାଇଁ ଶହେ ଗୋଟି ପରିବାର ତଥା ଗ୍ରାମରେ ଛେଳି ପାଳନ କରୁଥିବା ପରିବାରମାନଙ୍କୁ ପଶୁ ପାଳନରେ ତାଲିମ୍ ପ୍ରାପ୍ତ ଥିବା ସରକାରୀ ଓ ବେସରକାରୀ କର୍ମଚାରୀମାନଙ୍କ ଦ୍ଵାରା ୩୦ଟି ଗ୍ରାମରେ ତାଲିମ୍ ଦିଆଯାଇ ଥିଲା । ଯାହା ଦ୍ଵାରା ସେମାନେ ଛେଳିମାନଙ୍କର ଲାଳନ ପାଳନ ତଥା ସୁଚିକିତ୍ସା କରିପାରିବେ । ଛେଳିର ବଂଶ ବିସ୍ତାର ହେବା ଦ୍ଵାରା ଛେଳିମାନଙ୍କର ଲାଳନ ପାଳନ କରିବାରେ ଜଡିତ ରହି ଦେଶାନ୍ତର ନହୋଇ ଗାଁରେ ରହିବେ ଏବଂ ସରକାରଙ୍କ ଅନ୍ୟାନ୍ୟ ଯୋଜନା ତଥା ମନରେଗା, ଉଦ୍ୟାନ କୃଷି, କୃଷି ବିଭାଗର ସୁବିଧା ସୁଯୋଗ ପାଇ ନିଜର ପରିବାରର ପ୍ରତି ପୋଷଣ କରିପାରୁଛନ୍ତି । ବର୍ତ୍ତମାନ ଶହେଟି ପରିବାରଙ୍କୁ ଦିଆ ଯାଇଥିବା ୨ ଶହଟି ଛେଳି ମଧ୍ୟରୁ ୪୪ ଗୋଟି ଛେଳି ଛୁଆ ଜନ୍ମିତ ହୋଇ ସାରିଛି । ଯାହାକି ଆଗାମୀ ଦିନରେ ଏହି ଶହେ ପରିବାରର ଜୀବନ ଜୀବିକାରେ ସୁଦୃଢ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ସମସ୍ତ କାମରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ପ୍ରକାଶ ବନ୍ଦିଛୋର, ଲକ୍ଷ୍ମୀଧର ବାଗ, ସୁବର୍ଣ୍ଣ ବାଗ, ରଞ୍ଜିତା ହରପାଲ, ଜୟ ସିଂ ବନଛୋର ଓ ଲଳିତ ରଣା ପ୍ରମୁଖ ସହଯୋଗ କରି ଆସୁଛନ୍ତି । ଏଥିପାଇଁ ପରିଚାଳନା ସଂସ୍ଥା ଭୋଇପଡାର ଜନମୁକ୍ତି ଅନୁଷ୍ଠାନ ଓ ସହଯୋଗୀ ସଂସ୍ଥା ଅଜୀମ ପ୍ରେମଜୀ ଫାଉଣ୍ଡେସନ୍‌ର ସେବାମୂଳକ ଏହି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.