om academy

ଆତ୍ମାବିଶ୍ୱାସ ସହ ସରକାରୀ ସହାୟତା ହେଲେ ଦାଦନ ମହିଳା ବି ହୋଇ ପାରନ୍ତି ଆତ୍ମ ନିର୍ଭରଶୀଳ : ସର୍ଗିପାଲି ଗାଁ ଭାନୁମତୀ ଛତ୍ରିଆ ତାର ଉଦାହରଣ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନେକ ସମୟରେ ଜନ ସାଧାରଣଙ୍କ ଯୋଜନା ପ୍ରତି ଅନିଚ୍ଛା ତ ପୁଣି ସରକାରୀ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅନେକ ସମୟରେ ଯୋଜନା ବିଫଳ ହେବା ସହ ସରକାରଙ୍କ ଲକ୍ଷ ପୂରଣ ହୋଇପାରିନଥାଏ । ହେଲେ ଯଦି ଜଣେ ସରକାରଙ୍କ ଯୋଜନାକୁ ଭଲ ବୁଝି ଆତ୍ମବିଶ୍ୱାସ ସହ ସାମିଲ ହୁଅନ୍ତି ତା ହେଲେ ଯୋଜନା ସଫଳ ହେବା ସହ ମହିଳା ବି ଆତ୍ମନିର୍ଭରଶୀଳ ହୋଇପାରିବେ । ତାର ଉଦାହରଣ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହାରାପଦର୍ ପଞ୍ଚାୟତ ସର୍ଗୀପାଲି ଗାଁର ଭାନୁମତୀ ଛତ୍ରିଆ । ସୂଚନା ଅନୁସାରେ ପରିବାରରେ ଆଠ ପ୍ରାଣୀ କୁଟୁମ୍ବ ଥିବା ବେଳେ କରୋନା ଆଗରୁ ଦାଦନ ଯାଉଥିଲେ ତାଙ୍କ ପରିବାର । ହେଲେ କରୋନ ସମୟରେ ରୋଜଗାର ବନ୍ଦ ହେବା ସହ ପରିବାର ଦାରିଦ୍ର୍ୟତା ସହ ଯୁଝୁଥିଲେ । ଏହି ସମୟ ସରକାରଙ୍କ ତରଫରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସ୍ୱଳ୍ପ ମୂଲ୍ୟରେ ଘରେ କୁକୁଡ଼ା ଚାଷ ସଂପର୍କରେ ଏକ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମରେ ଭାଗ ନେଇ ଘରେ କୁକୁଡ଼ା ଚାଷ ପାଇଁ ଇଚ୍ଛା ପ୍ରକାଶ କରି ସ୍ଥାନୀୟ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କୁ ଜଣାଇଥିଲେ । ଶତପଥିଙ୍କ ସହାୟତାରେ ଘର ଅଗଣାରେ କୁକୁଡ଼ା ଘର କରି ସରକାରୀ ସବସିଡି ସତୁରୀ ହଜାର ଟଙ୍କା ପାଇବା ସହ କୁକୁଡ଼ା ଚିଆଁ କିଣି ବ୍ରଏଲର କୁକୁଡ଼ା ପାଞ୍ଚଶହ ଟି କିଣି ଚାଷ କରିଥିଲେ । ନବେ ଦିନରେ କୁକୁଡ଼ା ଦୁଇ କେଜି ଲେଖାଏଁ ହେବା ସହ ପ୍ରାୟ ଷାଠିଏ ହଜାର ଲାଭ ପାଇଥିବା ଭାନୁମତୀ ପ୍ରକାଶ କରିଛନ୍ତି । ପ୍ରତିଥରକୁ ୬୦ ହଜାର ଟଙ୍କା ଲାଭ ହେବାରୁ କାହିଁକି ଦାଦନ ଯିବୁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ସତରେ ସରକାରୀ ସହାୟତା ଓ ଆତ୍ମ ବିଶ୍ୱାସ ଯେ ଜଣଙ୍କୁ ଆତ୍ମନିର୍ଭରଶୀଳ କରିପାରିବ ଭାନୁମତୀ ତାର ଉଦାହରଣ । ଭାନୁମତୀଙ୍କ ସଫଳତା ଦେଖି ଗାଁର ଶ୍ରୀମତୀ ଛତ୍ରିଆ, ଲକ୍ଷ୍ମୀ ଛତ୍ରିଆ, ନେପୁର ବରିହା, ବାଘଝରଣ ଗାଁର ଧୁବଳେଶ୍ୱର ସୁନା, ଦମନିମାଲ ଗାଁର ତୁଳସୀ ଦାସ, ଭଟଲିର ନିରଞ୍ଜନ ବରିହା ମଧ୍ୟ ଏବେ ଏହି ସ୍ୱଳ୍ପ ଖର୍ଚ୍ଚରେ ଘର ଅଗଣାରେ କୁକୁଡ଼ା ଚାଷ ଆରମ୍ଭ କରିଥିବା ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ପ୍ରକାଶ କରିବା ସହ ଆଗାମୀ ଦିନରେ ଦାଦନ ପରିବାର ଏଭଳି କୁକୁଡ଼ା ଚାଷ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.