jayashree

ଅଣ୍ଟା ଭାଙ୍ଗିଥିବା ବାଳକଙ୍କୁ ସହାୟତା କଲେ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଅନେକ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନା ଗୁଡ଼ିକର ଲାଭ ପାଇପାରୁ ନାହାନ୍ତି ତାଙ୍କୁ ଉଚିତ ମାର୍ଗଦର୍ଶନ ତଥା ତାଙ୍କ ପ୍ରତି ସମାନୁଭୁତି ପ୍ରଦର୍ଶନ କରିବା ଦ୍ୱାରା ସେମାନେ ସରକାରଙ୍କ ମହତ ଯୋଜନା ଗୁଡିକର ଲାଭ ଉଠାଇ ପାରିବେ । ଏଭଳି ହଜାର ହଜାର ଅଜଣା ଅଚିହ୍ନା ଲୋକଙ୍କୁ ସହାୟତା ପ୍ରଦାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର ତରୁଣ ମଲ୍ଲିକ ଜଣେ ୧୫ ବର୍ଷର ବାଳକ । ଦୁଇମାସ ପୂର୍ବରୁ ଗଛରୁ ପଡ଼ି ଅଣ୍ଟା ଭାଙ୍ଗିଯାଇଛି । ତରୁଣର ବାପା ମଧ୍ୟ ପକ୍ଷାଘାତ ରୋଗରେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଅଛନ୍ତି । ଏଭଳି ଅବସ୍ଥାରେ ଉକ୍ତ ଗରୀବ ପରିବାର ପିଲାଟିର ଚିକିତ୍ସା ପାଇଁ ଅସମର୍ଥ ଥିଲେ । ଏହି ବିଷୟରେ ଜଣେ ଦିଦିଙ୍କ ଠାରୁ ଜାଣିବା ପରେ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ତାଙ୍କ ତଥ୍ୟ ସଂଗ୍ରହ କରିଥିଲେ ଏବଂ ଉକ୍ତ ବିଷୟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା । ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ ଆଜି ଉକ୍ତ ପରିବାରକୁ ଭେଟିଥିଲେ ଏବଂ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ତାଙ୍କ ସହ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ଡ଼ାକ୍ତରୀ ଦଳ ଯାଇଥିଲେ ଯାହାଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ତରୁଣ ଏବଂ ତାଙ୍କ ବାପାଙ୍କୁ ଡାକ୍ତରଖାନା ନିଆଯିବ ବୋଲି ସୂଚନା ଦେଇଛନ୍ତି । ଏହାଛଡ଼ା ଚିକିତ୍ସା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି । ଉକ୍ତ ଅସହାୟ ପରିବାରକୁ ସହାୟତା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଦୀପା ବାରିକ । ଦୀପାଙ୍କ ଉକ୍ତ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.