ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ କାଇଞ୍ଚପୁର ପଞ୍ଚାୟତର ଝରପଦର ଗ୍ରାମରେ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର ୯ ମାସ ବ୍ୟବଧାନରେ ବାପା ଓ ମାଆଙ୍କୁ ହରାଇ ଦୁଇ ନାବାଳକ ସନ୍ତାନ (ଝିଅ ସୁଇଟି- ୧୭) ଓ ପୁଅ କାଳିଆ- ୧୪) ଅସହାୟ ହୋଇପଡ଼ିଛନ୍ତି । ପରିବାରର ଏହି ଦୁର୍ଦ୍ଦଶା ବିଷୟରେ ଜାଣିବା ପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଗୁରୁବାର ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ଓ ତହସିଲଦାର ସୁକାନ୍ତ ମିଶ୍ର ସେଠାରେ ଉପସ୍ଥିତ ରହି ରେଡକ୍ରସ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କାର ଆର୍ଥିକ ଟଙ୍କା ସହାୟତା ପ୍ରଦାନ କରିବା ସହ ନିଜ ହାତଖର୍ଚ୍ଚରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏଥିସହ ପିଲାମାନଙ୍କ ଭବିଷ୍ୟତ ପାଇଁ ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ୯ ମାସ ପୂର୍ବରୁ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ରବି ମହାଙ୍କୁଡ଼ ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ପତ୍ନୀ ଝୁନୁ ମହାଙ୍କୁଡ଼ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବୁଧବାର ମୃତ୍ୟୁବରଣ କରିଛନ୍ତି । ଭୂମିହୀନ ଓ ନିରାଶ୍ରୟ ଏହି ପରିବାରଟି ଭଡ଼ାଘରେ ରହି ଚୁଡ଼ି ବିକ୍ରି କରି ଗୁଜରାଣ ମେଣ୍ଟାଉଥିଲେ । ବର୍ତ୍ତମାନ ମୁରବିହୀନ ହୋଇପଡ଼ିଥିବା ଏହି ଦୁଇ ଶିଶୁଙ୍କ ପାଠପଢ଼ା ଓ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି । ବିଧାୟକଙ୍କ ଏହି ସହାନୁଭୂତିଶୀଳ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।