- ଦୀପାଙ୍କ ଟ୍ୱିଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଲା ଆର୍ଥିକ ସହାୟତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର ଜଣେ ଛାତ୍ରୀ ଅର୍ଥାଭାବରୁ ଉଚ୍ଚ ଶିକ୍ଷା ପାଇଁ ସଂଘର୍ଷ କରୁଥିଲେ । ଏହି ସମୟରେ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଏକ ଟ୍ୱିଟ୍ ପଢ଼ି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼ାକ୍ତର ମୁକେଶ ମହାିଙ୍ଗ ସହାୟତାର ହାତ ବଢାଇଥିଲେ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ଜରିଆରେ ଝିଅ ସମ୍ପର୍କରେ ଟ୍ୱିଟ୍କୁ କିଛି ସମୟ ମଧ୍ୟରେ ଦେଖି ସାଙ୍ଗେ ସାଙ୍ଗେ ବରଗଡ଼ ଜିଲ୍ଲାପାଳଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏହାପରେ ବରଗଡ଼ ଜିଲ୍ଲାପାଳ ବରଗଡ଼ ଜିଲ୍ଲାର ଜରୁରୀକାଳୀନ ବିଭାଗକୁ ନିର୍ଦ୍ଦେଶ ଦେଇ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ କହିଥିଲେ । ଏହାପରେ ଅଭିଯୋଗ କରିବାର ଗୋଟିଏ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯାଇଥିଲା । ଶନିବାର ଦିନ ଝିଅକୁ ଆବଶ୍ୟକ ହେଉଥିବା ପନ୍ଦର ହଜାର ଟଙ୍କା ବ୍ୟାଙ୍କ ଖାତାରେ ଜମା କରାଯାଇଥିଲା । ଏହାପରେ ଝିଅ ଜଣକ ଉଚ୍ଚ ଶିକ୍ଷା ପାଇଁ ସଠିକ ସମୟରେ ଆର୍ଥିକ ସହାୟତା ପାଇଥିବାରୁ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ବରଗଡ଼ ଜିଲ୍ଲାପାଳ ଏବଂ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ମନ୍ତ୍ରୀଙ୍କ ଏହି ମହତ କାର୍ଯ୍ୟକୁ ଝାରବନ୍ଧ ବ୍ଲକ ତଥା ବରଗଡ଼ ଜିଲ୍ଲାରେ ଉଚ୍ଚ ପ୍ରଶଂସା କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଝିଅ ଜଣକ ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର । ସେ ଯୁକ୍ତ ଦୁଇ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବିଏବିଇଡି ପାଠ ପଢ଼ିବା ପାଇଁ ଚୟନ ହୋଇଛନ୍ତି । ତାଙ୍କ ନାମଲେଖା ପାଇଁ ଆର୍ଥିକ ସହାୟତା ଆବଶ୍ୟକ ଥିଲା । ବର୍ତ୍ତମାନ ଶ୍ରୀ ମହାଲିଙ୍ଗ ବରଗଡ଼ ଜିଲ୍ଲା ପ୍ରଭାରୀ ଭାବରେ ଦଳର କାର୍ଯ୍ୟଭାର ସମ୍ଭାଳିଛନ୍ତି । ସେ ଲୋକଙ୍କ ସୁଖରେ ଦୁଃଖରେ ସାହା ହେବା ପାଇଁ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି ।