ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଦା ପ୍ରିୟଙ୍କା ଗୌଡ଼ଙ୍କ ଝିଅ ଶ୍ରୀୟା ଦୀର୍ଘ ୧୦ ବର୍ଷ ହେବ ମସ୍ତିଷ୍କ ବିକୃତି ରୋଗରେ ପୀଡିତ ଅଛନ୍ତି । ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଏଣୁ ସରକାରୀ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଝିଅଙ୍କ ମାଆ ପ୍ରିୟଙ୍କା । ପ୍ରାଥମିକ ସ୍ତରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜିଲ୍ଲା ରେଡକ୍ରସ ସହାୟତା ପାଣ୍ଠିରୁ ପ୍ରିୟଙ୍କାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ନେଇ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ନିରୀହ ଗରିବ ମହିଳାଙ୍କ ପୀଡ଼ିତା ଝିଅଙ୍କ ସମସ୍ୟାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଉଦ୍ଧିଷ୍ଠ ସହାୟତା ଲାଗି ମଧ୍ୟ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଗୁରୁବାର ଆବେଦନ କରିଛନ୍ତି । ତାଙ୍କରି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ନିମନ୍ତେ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ଆବଶ୍ୟକତା ଖୁବ୍ ଜରୁରୀ ବୋଲି ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ’ ତାଙ୍କ ଝିଅ କଥାବାର୍ତ୍ତା କରିପାରୁ ନାହାନ୍ତି । ବିଭିନ୍ନ ସରକାରୀ ଡାକ୍ତରଖାନାରେ ଏବେ ବି ଚିକିତ୍ସା ଚାଲିଛି । ଏହି ଚିକିତ୍ସା ପାଇଁ ଲକ୍ଷାଧିକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ସେଥିରୁ ପୁଣି କୁନି ଝିଅର ଚିକିତ୍ସା ଖର୍ଚ୍ଚ ତୁଳାଇବା ଖୁବ୍ କଷ୍ଟକର ବ୍ୟାପାର ବୋଲି ପ୍ରଶାସନ ଠାରେ କୁହାଯାଇଛି । ପ୍ରକାଶ ଥାଉକି, ବହୁବାର ଚିକିତ୍ସା ସତ୍ୱେ ଶେଷରେ ଭାଙ୍ଗି ପଡ଼ିଥିବା ବେଳେ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇଛନ୍ତି, ଖଲ୍ଲିକୋଟ ବ୍ଲକ ଅଞ୍ଚଳର ଅଗ୍ରଣୀ ସଂଗଠନ ଡ଼ାକ୍ତର ଏ.ପି.ଜେ. ଅବଦୁଲ କାଲାମ ଜନକଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା । ଶ୍ରୀ ବେହେରାଙ୍କର ସହଯୋଗରେ ପ୍ରିୟଙ୍କା ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ । ଜିଲ୍ଲାପାଳ ଏଦିଗରେ ବିହିତ ଅନୁସନ୍ଧାନ କରି ପ୍ରାଥମିକ ଭାବେ ରେଡକ୍ରସ ସହାୟତା ପାଣ୍ଠିରୁ ତାଙ୍କୁ ପ୍ରାଥମିକ ସହାୟତା ପ୍ରଦାନ କରିଥିଲେ । ପ୍ରିୟଙ୍କାଙ୍କ ସହ ମସ୍ତିଷ୍କ ବିକୃତ ଝିଅକୁ ସାଙ୍ଗରେ ନେଇ ଗୁରୁବାର ବ୍ରହ୍ମପୁର ସି.ଡି.ଏମ୍.ଓ.ଙ୍କ ନିକଟକୁ ସାକ୍ଷାତ କରି ଭିନ୍ନକ୍ଷମ ପ୍ରମାଣ ପତ୍ର ନିମନ୍ତେ ଆବେଦନ କରିବା ସାଙ୍ଗକୁ ଛତ୍ରପୁର ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସରକାରୀ ସହାୟତା ଓ ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଝିଅ କଥାବାର୍ତ୍ତା କରିପାରୁ ନାହାନ୍ତି, କି ଚଲାବୁଲା କରିପାରୁନାହାନ୍ତି । ଏନେଇ ତାଙ୍କ ପରିବାରରେ ଆର୍ଥିକ ସଙ୍କଟ ଓ ମାନସିକ ଅଶାନ୍ତି ବଢ଼ିବା ସହିତ ପ୍ରିୟଙ୍କାଙ୍କ ମନ ଏକ ପ୍ରକାର ଭାଙ୍ଗିପଡ଼ିଛି । ବ୍ରହ୍ମପୁର ସରକାରୀ ଓ ବେସରକାରୀ, ଭୁବନେଶ୍ୱର, ଓଲଟପୁର ଓ ବେଙ୍ଗାଲୁରୁ ଡାକ୍ତରଖାନାରୁ ଚିକିତ୍ସିତ ହେଲା ପରେ ମଧ୍ୟ କୌଣସି ସୁଫଳ ମିଳପାରିିନାହିଁ । ସରକାରୀ ଆର୍ଥିକ ସହାୟତା ମିଳିଲେ ଝିଅର ଚିକିତ୍ସା କରାଇ ପାରିବେ ବୋଲି ସରକାରଙ୍କ ଠାରେ ଆକୁଳ ନିବେଦନ କରି କୋହଭରା କଣ୍ଠରେ ପ୍ରିୟଙ୍କା କହିଛନ୍ତି ।