
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲର୍ସର ସହଭାଗୀ ସଂସ୍ଥା ଲାଲଚାନ୍ଦ ଫାଉଣ୍ଡେସନ୍ ଭୁବନେଶ୍ୱରର ୨୦୦ ଯକ୍ଷ୍ମାରୋଗୀଙ୍କୁ ୬ ମାସ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ଆବଶ୍ୟକ ପୋଷଣ ସହାୟତା ପ୍ରଦାନ କରୁଥିବା ଜଣାପଡ଼ିଛି । ବିଶେଷକରି ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଓ ଲାଲଚାନ୍ଦ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ସ୍ଥାନୀୟ ଶହୀଦ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଭୁବନେଶ୍ୱରର ଡା. ସୁମନ ସୁନ୍ଦରାୟ, ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଭୁବନେଶ୍ୱର ଡା. ଏମ.ଏସ.ସମଦ.ଖାନ୍, ଜିଲା ପ୍ରକଳ୍ପ ସଂଯୋଜକ ରୋଶନ କୁମାର ପାଢ଼ୀ, ଜିଲ୍ଲା ସଂଯୋଜକ (ପିପିପି) ଗୁରୁଚରଣ ମନ୍ତ୍ରୀ, ଶହୀଦ ନଗର ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ, ଡା. ଐଶ୍ୱର୍ଯ୍ୟା ମହାପାତ୍ରଙ୍କ ସମେତ ଲାଲଚାନ୍ଦ ଫାଉଣ୍ଡେସନର ନିର୍ଦ୍ଦେଶକ ଅଜିତ୍ ହଂସ, କିଷନ ଗୁପ୍ତା ଏବଂ ସାଇନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ସମସ୍ତ ୱାର୍ଡ ଅଧୀନରେ ଥିବା ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୨୦୦ ରୋଗୀଙ୍କୁ ୬ମାସ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ଫାଉଣ୍ଡେସନ ପୋଷଣ ସହାୟତା ପ୍ରଦାନ କରୁଛନ୍ତି । ସେହିପରି ଲାଲଚାନ୍ଦ ଫାଉଣ୍ଡେସନ୍ର ଏଭଳି ମହତ କାର୍ଯ୍ୟକୁ ବିଏମ୍ସି କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମା ଅଧିକାରୀଙ୍କ ପକ୍ଷରୁ ଫାଉଣ୍ଡେସନ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।