ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ସରକାରୀ ଚିକିତ୍ସାଳୟ ନିକଟରେ ଥିବା ଜଗନ୍ନାଥ କଲୋନୀଠାରେ ଜିଲ୍ଲା ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ରର ସହଯୋଗ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇ ପ୍ରତ୍ୟେକ କେନ୍ଦ୍ର ଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ସହ ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରି ରୋଗୀମାନଙ୍କୁ ମାଗଣାରେ ବିଭିନ୍ନ ଅତ୍ୟାଧୁନିକ ଥେରାପି ଓ ପୁନର୍ବାସ ସେବା ଯୋଗାଇ ଦିଆଯାଉଛି । ଯାହା ଫଳରେ ବଣାଇ ସହର ସମେତ ଆଖପାଖ ଗ୍ରାମାଞ୍ଚଳରୁ ଅନେକ ରୋଗୀ ଏହି କେନ୍ଦ୍ରକୁ ଆସି ଚିକିତ୍ସିତ ହେବା ସହିତ ଅଳ୍ପ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରି ସୁସ୍ଥ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜନ୍ମଗତ ତଥା କୌଣସି ରୋଗଜନିତ ବା ଦୁର୍ଘଟଣାଜନିତ ଶାରୀରିକ ସମସ୍ୟା ଭୋଗୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବଣାଇ କେନ୍ଦ୍ରରେ ଉପସ୍ଥିତ ଥିବା ଫିଜିଓଥେରାପିଷ୍ଟ ଡ. ଏମଡି ସଦାବ ହୁସେନ ଓ ସ୍ୱତନ୍ତ୍ର ଇଡେକ୍ଟର ତନ୍ମୟ ଦାସଙ୍କ ଦ୍ଵାରା ଆଶୁ ନିରାକରଣ ଚିକିତ୍ସା, ବାୟୋଥେରାପି, ବ୍ୟବହାରିକ ଚିକିତ୍ସା ଓ ଶିକ୍ଷା ଥେରାପି ଭଳି ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଲୋକଙ୍କୁ ପୁଣି ଥରେ ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରୁଥିବା ଜଣାପଡିଛି । ପ୍ରତ୍ୟେକ ଦିନ ଏହି କେନ୍ଦ୍ରରେ ୩୦ରୁ ୪୦ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଡିସେମ୍ବର ୨୦୨୧ରୁ ଆରମ୍ଭ ହେଇଥିବା ଏହି ଚିକିତ୍ସା କେନ୍ଦ୍ରରୁ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ରୋଗୀ ଚିକିତ୍ସିତ ହୋଇ ସୁସ୍ଥ ଭାବେ ଜୀବନ ବିତାଉଛନ୍ତି । ସମ୍ପୂର୍ଣ୍ଣ ଭାବେ ଚାଲିବାକୁ ଅକ୍ଷମ ଥିବା ଅନେକ ରୋଗୀଙ୍କୁ ପରିବାର ଲୋକେ ଅଟୋରେ ଆଣି ଏଠାରେ ଚିକିତ୍ସା କରାଉଥିବା ବେଳେ କିଛି ଦିନର ସଫଳ ଚିକିତ୍ସା ପରେ ରୋଗୀ ନିଜ ଗୋଡ଼ରେ ଚାଲି ପାରୁଛି ଜଣାପଡିଛି । ତେଣୁ ଆଗାମୀ ଦିନରେ ବରିଷ୍ଠ ନାଗରିକଙ୍କ ସମେତ ଏହି ସେବା କିଭଳି ପିଲାମାନଙ୍କୁ ମଧ୍ୟ ୟମିଳିପାରିବ ସେଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି ।