ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସହର ପରିବେଶ ଥିଲା ଭକ୍ତିମୟ । “ଜୟ ଜଗନ୍ନାଥ ” ଧ୍ୱନିରେ ଫାଟି ପଡୁଥିଲା ସହରର ମୁଖ୍ୟ ରାସ୍ତା, ଗଳିକନ୍ଦି । ହରିବୋଲ, ହୁଳହୁଳି ମଧ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ ସହ ପାଛୋଟି ନେଉଥିଲେ ଭକ୍ତମାନେ । ୱାର୍ଡରୁ ୱାର୍ଡ, ଗାଁରୁ ଗାଁ ସଂଗ୍ରହ କରାଯାଇଥିଲା ଚାଉଳ ଏବଂ ଗୁଆ । ଏହାକୁ ପୁରୀ ପଠାଯାଇ ମହାପ୍ରଭୁଙ୍କ ସେବାରେ ଲଗାଯିବ । ସକାଳୁ ଭଜନ, ସଂକୀର୍ତ୍ତନ, ହୁଳହୁଳି ସହ ହରିବୋଲ, ଜୟ ଜଗନ୍ନାଥ ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ମହିଳା ତଥା ପରୁଷମାନେ ପୂର୍ଣ୍ଣ କଳସ ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରଶାସନିକ ଅଧିକାରୀଠାରୁ ଆରମ୍ଭ କରି ନେତା, ନିର୍ବାଚିତ ପ୍ରତିନିଧି, ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ରଙ୍ଗ ବେରଙ୍ଗ ଝୋଟିରେ ପରିବେଶ ସୁନ୍ଦର ଦେଖାଯାଉଥିଲା । ଲୋଇସିଂହାର ଭାଲିଆମୁଣ୍ଡାରେ ଆଜି ଅର୍କେଶ ନାରାୟଣ ସିଂଦେଓ ଅର୍ପଣ ରଥକୁ ସ୍ଵାଗତ କରିବା ସହ ଚାଉଳ ଏବଂ ଗୁଆ ସଂଗ୍ରହ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଏହା ସହ ଅର୍ପଣ ରଥ ବାରପୁଡୁଗିଆ, ମାୟାବର୍ହା, ଝାଙ୍କରପାଲି, କୁଟୁମଡୋଳା, ଖଲିଆପାଲି, ଖୁଯେନପାଲି, ସିକାଛିଡା ଆଦି ପଂଚାୟତର ୨୩ ଗାଁ ବୁଲିବା ସହ ଅର୍ପଣ ଗ୍ରହଣ କରିଛି । ଏହି ଅର୍ପଣକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ପୁରୀ ପଠାଯିବ ।

Leave A Reply

Your email address will not be published.