
ବଲାଙ୍ଗିର, (କେପିଏନ୍ଏସ୍) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ମହିଳା ସହକାରୀ ରାଜସ୍ୱ ନିରୀକ୍ଷକ ଓ ସହଯୋଗୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍ ବେଲଗାଁର ସହକାରୀ ରାଜସ୍ୱ ନିରୀକ୍ଷକ ତଥା ଇନ୍ଚାର୍ଜ ରାଜସ୍ୱ ନିରୀକ୍ଷକ ରେସ୍ମା ମାଝୀ ଓ ତାଙ୍କ ସହଯୋଗୀ ବାବୁଲାଲ ନନ୍ଦ ଜମି ନୋଟିଫିକେସନ୍ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଭିଜିଲାନ୍ସ ଧରିଛି । ଜମି ନୋଟିଫିକେସନ୍ ବାବଦକୁ ବାସୁଦେବ ରଣାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବେଲଗାଁ ଏଆର୍ଆଇ ରେସ୍ମା ମାଝୀ । ବାସୁଦେବ ବଲାଙ୍ଗିର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଏ ସଂପର୍କରେ ଅଭିଯୋଗ କରିଥିଲେ । ବଲାଙ୍ଗିର ଡିଏସ୍ପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ସହିତ ଆଜି ମିଳିତ ଚଢାଉ କରାଯାଇଥିବା ବେଳେ ରେସ୍ମା ମାଝୀ ଲାଞ୍ଚ ନେବା ପରେ ବଲାଙ୍ଗିର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିବା ସହ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ରେସ୍ମାଙ୍କ ବିଭିନ୍ନ କାର୍ଯ୍ୟାଲୟ ଓ ସରକାରୀ ଘର ଉପରେ ରେଡ ଜାରି ରଖିଥିବା ସୂଚନା ମିଳିଛି ।