oom

ଦର୍ପଣ ସାଗରକୁ ପୁନଃରୁଦ୍ଧାର ପାଇଁ ପ୍ରୟାସ : ଶ୍ରମଦାନ କଲେ ଶହ ଶହ ଲୋକ

jsmm
  • ପୁରାତନ ଜଳାଶୟକୁ ସୁରକ୍ଷା ଦେବା ପାଇଁ ନେଲେ ସାମୁହିକ ଶପଥ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦର୍ପଣ ସାଗର ହେଉଛି ଭବାନୀପାଟଣା ଅନେକ ଜଳାଶୟ ଭିତରୁ ଏକ ପ୍ରମୁଖ ଜଳ ଉତ୍ସ । ଏହା ଉପରେ ସହରର ୧୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି । ବହୁ ପୂର୍ବରୁ କଳାହାଣ୍ଡି ରାଜାଙ୍କ ଦ୍ଵାରା ନିର୍ମିତ ଏହି ଜଳାଶୟ ଭବାନୀପାଟଣାର ଏକ ପ୍ରମୁଖ ଜୀବନ ରେଖା । ମାତ୍ର ଏହା ଅବହେଳିତ ହୋଇଯାଇଛି । ଏହାର ଶଯ୍ୟାକୁ ଜମି ମାଫିଆ ମାନେ କବଳିତ କରି ସାରିଲେଣି । ଏହି ପୋଖରୀ ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଜମି ମାଫିଆ ଓ ଦଲାଲମାନେ ଏହି ପୋଖରୀକୁ ଭାଙ୍ଗି ଜମିରେ ପରିଣତ କରି ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ବିଭିନ୍ନ ପର୍ବପର୍ବାଣୀ, ବାହାଘର, ଦଶାହ କାର୍ଯ୍ୟ, ଏମିତିକି କଳାହାଣ୍ଡି ଉତ୍ସବ ସମୟରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟ ପାଇଁ ଆସୁଥିବା ଲୋକମାନେ ମଧ୍ୟ ଏହି ପୋଖରୀ ଉପରେ ନିର୍ଭର କରନ୍ତି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନକୁ ଏହି ଜଳାଶୟକୁ ସୁରକ୍ଷା ଦେବା ପାଇଁ ନିବେଦନ କରିଥିଲେ । ମାତ୍ର ତାହାର ସୁଫଳ ମିଳି ପାରିନାହିଁ । ତେଣୁ ଆଜି ବାଧ୍ୟ ହୋଇ ଶହ ଶହ ସ୍ଥାନୀୟ ସହରବାସୀ ଏକାଠି ହୋଇ ଶ୍ରମଦାନ କରି କଟା ଯାଇଥିବା ଏହାର ହୁଡ଼ାକୁ ମାଟି ପକାଇ ବନ୍ଦ କରିଥିଲେ । ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତି, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ, ଜନ୍ମ ମାଟି ସୁରକ୍ଷା ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବାସିନ୍ଦା ଓ ଏହି ସଂଗଠନର କର୍ମୀମାନେ ସକାଳ ୬ ଘଣ୍ଟାରେ ଦର୍ପଣ ସାଗରରେ ଏକାଠି ହୋଇ ଶ୍ରମଦାନ କରିଥିଲେ । ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ, ଜିଲ୍ଲା ଆବାହକ ଜ୍ୟୋସ୍ନା ବଗର୍ତ୍ତି, ବେଣୁ ଦୁର୍ଗା, ମନ୍ଦାକିନୀ ବାଣୁଆ, ଦର୍ପଣ ସାଗର ସୁରକ୍ଷା ସଂଗ୍ରାମ ସମିତିର ସଭାପତି ସନ୍ତୋଷ ଧଙ୍ଗଡା ମାଝୀ, ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତିର ସଭାପତି ବିଜୟ ସାହୁ ଓ ଆବାହକ ଗିରିଧାରୀ ପାତ୍ର, ସୁରେଶ ମାଝୀ, ପ୍ରଦୀପ ନାୟକ, ଯୋଗେଶ୍ୱରୀ ଧଙ୍ଗଡା ମାଝି ପ୍ରମୁଖ ଯୋଗ ଦେଇଥିଲେ । ଅପରାହ୍ନରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଜଳାଶୟ ସମେତ ସହରର ଅନ୍ୟ ପୋଖରୀ ଗୁଡ଼ିକର ସୁରକ୍ଷା ପାଇଁ ଦାବି କରିଥିଲେ ।

jittmm
Leave A Reply

Your email address will not be published.