
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଙ୍ଗୋମୁଣ୍ଡା ଆସନ୍ତା ଜୁନ ମାସରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ରାଜ୍ୟର ସର୍ବବୃହତ ତଥା ପୁରାତନ ସାମ୍ବାଦିକ ସଂଘ “ଉତ୍କଳ ସାମ୍ବାଦିକ ସଂଘ”ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରାଯିବ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ଠାରେ ଅନୁଷ୍ଠିତ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆୟୋଜିତ ବୈଠକରେ ପ୍ରଥମେ ଭାରତ ମାତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା । ଏଥିରେ ସଂଘର ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମେହେର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସନ୍ଦୀପ କୁଅଁର, ବିମଳେନ୍ଦୁ ସାହୁ, ଶ୍ୟାମ ପ୍ରସାଦ ଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ । ଆସନ୍ତା ଜୁନ ମାସରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ଏକ ରାଜ୍ୟ ସ୍ତରୀୟ ସମାବେଶ କରାଯିବା ସକାଶେ ବୈଠକରେ ସହମତି ପ୍ରକାଶ ପାଇଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ଦେଢ଼ଶହରୁ ଅଧିକ ସାମ୍ବାଦିକ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାମ୍ବାଦିକ ମାନଙ୍କର ସୁବିଧା ଓ ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆଜିର ବୈଠକରେ ସାଂଗଠନିକ ସମ୍ପାଦକ ହୁଲେଶ୍ୱର ହଂସ, ଉପ ସଭାପତି ଅଶୋକ ନାରାୟଣ ଭୋଇ, ସୁଶାନ୍ତ ବାରିକ, ଗୁରୁଦୟାଲ ହଂସ, ସୁଧାକର ଦାସ, ସମ୍ପାଦକ ଦେବରାଜ ନାହାକ, ବରିଷ୍ଠ ସାମ୍ବାଦିକ ଡାକ୍ତର ପୁଟେଲ, ଅନ୍ତର୍ଯ୍ୟାମୀ ସାହୁ, ସୁଶିଲ ମିଶ୍ର, ସାରଙ୍ଗ ଭୋଇ, ସୁବାସ ମିଶ୍ର, ରାଜେଶ ଦଣ୍ଡସେନା, ବିମଳ କୁମାର ଦାସ, ଅଜିତ ମିଶ୍ର, କୈଳାଶ ସଗରିଆ ପ୍ରମୁଖ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।