ବଲାଙ୍ଗିର ମହାରାଣୀ ସାଗର କାମ ସମୀକ୍ଷା କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାରାଣୀ ସାଗରର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ସମୀକ୍ଷା କରିଛନ୍ତି ନବ ନିର୍ବାଚିତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ପୌର ଅଧିକାରୀଙ୍କ ସହ ବିଧାୟକ ଶ୍ରୀ ସିଂହଦେଓ ମହାରାଣୀ ସାଗରକୁ ଯାଇ ତଦାରଖ କରିଛନ୍ତି । ଯେଭଳି ଦୂଷିତ ଡ୍ରେନ୍‌ ପାଣି ସାଗର ଭିତରକୁ ପଶିବ ନାହିଁ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ । ସୂଚନାଯୋଗ୍ୟ ଯେ, ମହାରାଣୀ ସାଗରକୁ ଦୂଷିତ ଡ୍ରେନ୍‌ ପାଣିରୁ ରକ୍ଷା କରିବା ପାଇଁ ସାଗର କଡ଼ରେ ଡ୍ରେନେଜ୍‌ ସିଷ୍ଟିମ୍‌ ମଧ୍ୟ କରାଯାଇଛି । ତେବେ ମହାରାଣୀ ସାଗର ପରିଦର୍ଶନ ପରେ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି ନବନିର୍ବାଚିତ ବିଧାୟକ କଳିକେଶ । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ଯେ, ଆଖପାଖର ଲୋକଙ୍କୁ ବିସ୍ଥାପିତ କରା ନଯାଇ ମହାରାଣୀ ସାଗରର ଉନ୍ନତିକରଣ ପାଇଁ ନବନିର୍ବାଚିତ ବିଧାୟକ ପୂର୍ବରୁ ଲୋକଙ୍କୁ କଥା ଦେଇଥିଲେ ଏବଂ ଆଜି ତାହା ସେ ରକ୍ଷା କରିଛନ୍ତି । ମୌସୁମୀ ପୂର୍ବରୁ ଯେତେ ସମ୍ଭବ କାମ ସାରିବା ଦିଗରେ ଆମେ ଦୃଷ୍ଟି ରଖିଛୁ ବୋଲି କହିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ।

Leave A Reply

Your email address will not be published.