
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିର ପରିସରରେ ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ତହସିଲଦାର ସତ୍ୟ ରାଉତରାୟ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଶୈବପୀଠ ପରିସରକୁ ରବିବାର ସଫା କରିଛନ୍ତି । ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଖପ୍ରାଖୋଲ ବିଡିଓ ଖାଲି ପାଦରେ କୁଢ଼ କୁଢ଼ ଆବର୍ଜନା ଏବଂ କାଦୁଅ ଭିତରକୁ ପଶି ସଫା କରୁଥିବା ଦୃଶ୍ୟ ସମସ୍ତଙ୍କୁ ମନମୁଗ୍ଧ କରିଥିଲା । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୀଠକୁ ଆସିଥାନ୍ତି । ଓଡ଼ିଆ ପକ୍ଷ ପାଳନ ଅବସରରେ ରବିବାର ଦେବାଳୟ, ଐତିହସ୍ଥଳୀ ଗୁଡିକର ସ୍ୱଚ୍ଛତା ଉପଲକ୍ଷେ ଏବଂ ଆଗକୁ ବୈଶାଖ ଚତୁର୍ଦ୍ଦଶୀ ମେଳା ଥିବାରୁ ଏହି ସବୁକୁ ଦୃଷ୍ଟିରେ ରଖି ସଫେଇ କାର୍ଯ୍ୟକ୍ରମ ଚାଲିଛି । ହରିଶଙ୍କର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ମହାଦେବଙ୍କୁ ଦର୍ଶନ କରିବା ସହିତ ବଣଭୋଜି ମଧ୍ୟ କରିଥାନ୍ତି ପର୍ଯ୍ୟଟକ । ଫଳରେ ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନାରେ ପଡ଼ିଥାଏ । ତେବେ ଏହାକୁ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ, ଏମବିକେର ମହିଳାମାନେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ସଫା କରାଯାଇଛି । ଆଗାମୀ ଦିନରେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।