ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମ, ସ୍ୱଚ୍ଛତା ହିଁ ସେବା ଭାବନାକୁ ପାଥେୟ କରି ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ବଲାଙ୍ଗିର ବିଭୁତିପଡା ସ୍ଥିତ ଶ୍ମଶାନ ବା ସ୍ୱର୍ଗଦ୍ୱାର ସ୍ଥଳର ପରିସରରେ ସଫେଇ କାର୍ଯ୍ୟ କରାଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍) ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ ଶିଶୁ ଓ ମହିଳା ବିକାଶ ସୋସାଇଟିର କର୍ମୀମାନେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ରବିଚନ୍ଦ୍ର ପଶାୟତ ଯୋଗ ଦେଇ ନିରନ୍ତର ସେବା ମନୋବୃତ୍ତି କାର୍ଯ୍ୟ କରିବା ପାଇଁ ମତପ୍ରକାଶ କରିଥିଲେ । ତତ୍ ପରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟମାନଙ୍କ ଦ୍ୱାରା ପ୍ରଥମରେ ବୃକ୍ଷରୋପଣ କରାଯାଇ ଶ୍ମଶାନର ପରିସରକୁ ସଫେଇ କରାଯାଇଥିଲା । କାର୍ଯ୍ୟକ୍ରମରେ ଦୀପକସେନ ଧରୁଆ, ଚନ୍ଦ୍ରଶେଖର ସେଠ, ରଥି ବରାଡ, କୁଶଳେଶ୍ୱର ବରାଡ, ଜଗନ୍ନାଥ ସୁନା, ଧର୍ମେନ୍ଦ୍ର କୁମ୍ଭାର, ଦୁର୍ଗା ନାଗ ପ୍ରମୁଖ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ପ୍ରଭାକର ଛନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।