ବଲାଙ୍ଗିର ପୋଲିସର ବଡ ସଫଳତା : ଖପ୍ରାଖୋଲ ଡକାୟତି ଘଟଣାରେ ୧୫ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜାନୁଆରୀ ୨୩ ତାରିଖରେ ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଠାରେ ହୋଇଥିବା ଡକାୟତି ଘଟଣାରେ ବଲାଙ୍ଗିର ପୋଲିସକୁ ବଡ ସଫଳତା ମିଳିଛି । ଶାନ୍ତିପୁର ଡକାୟତି ଘଟଣାର ଛାନଭିନ କରୁ କରୁ ପୋଲିସ ହାତରେ ଏକ ଆନ୍ତଃଜିଲ୍ଲା ଡକାୟତି ର‌୍ୟାକେଟ ଧରା ପଡିଛି । ପ୍ରଥମେ ୬ ଫେବୃଆରୀରେ ପୋଲିସ ଉକ୍ତ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଫେବୃଆରୀ ୭ ଓ ୯ ତାରିଖରେ ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି । ଏହା ସହ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଭୁଜାଲି, ଗୋଟିଏ ଖୁକୁରି, ଗୋଟିଏ ଲୁହା ରଡ, ୨ଟି ଟର୍ଚ୍ଚ ଲାଇଟ, ମାସ୍କ, ଗ୍ଲୋଭ, ଟେପ, ବାରୁଦ, ୧୫ ଗୋଟି ମୋବାଇଲ ସହ ଘଟଣାରେ ବ୍ୟବହୃତ ଇନୋଭା କାର, ବୋଲେରୋ ଓ ସ୍ୱିଫ୍ଟ ଡିଜାଆର କାର ଜବତ କରିଛି । ଘଟଣାର ମୂଖ୍ୟ ଅଭିଯୁକ୍ତମାନେ ନୟାଗଡର ବୋଲି ଜଣା ପଡିଥିବା ବେଳେ କିଛି ସ୍ଥାନୀୟ ଯୁବକଙ୍କୁ ସାମିଲ କରି ବିଭିନ୍ନ ଘଟଣା ଘଟାଉଥିଲେ ବୋଲି ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଯେ, ଗିରଫ ଅଭିଯୁକ୍ତମାନେ ଏହି ଘଟଣା ସମେତ ଚାରମାଲ ୩୨/୧୮, ଦେଓଗାଁ ୧୯/୨୦, ବୀରମାହାରାଜପୁର ୭୬/୧୭, ଓଡୋଗାଁ ୬୨/୧୭, ଟାଙ୍ଗି ୨୭୪/୧୮, ତୁଷୁରା ୨୧୪/୧୭, ଚନ୍ଦାପୁର ୧୨୫/୧୮, ପାଥେଗଡ ୬୫/୨୦, ବେଗୁନିଆ ୩/୧୪ ଓ ପୁରଣା କଟକ ୧୫୦/୨୦ ଭଳି କେସରେ ସଂଶ୍ଲିଷ୍ଟ ଥିବା ପୋଲିସ କହିଛି ।

ତେବେ ଏହି ଘଟଣାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ୫ଟି ଦଳ ଗଠନ କରାଯାଇଥିଲା । ଦଳରେ ସଦର ଓ ପାଟଣାଗଡ ଏସଡିପିଓଙ୍କ ନେତୃତ୍ୱରେ ଖପ୍ରାଖୋଲ, ପାଟଣାଗଡ ଓ ବଲାଙ୍ଗିର ସଦର ଆଇଆଇସି ତଦନ୍ତରେ ଦିନ ରାତି ପରିଶ୍ରମ କରିଥିଲେ । ଏହା ତାଙ୍କରି ପରିଶ୍ରମର ଫଳ ବୋଲି ଆଜି ସ୍ଥାନୀୟ ପୋଲିସ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାର ଆଉ ୫ ଜଣ ଡ଼କାୟତ ଫେରାର୍‌ ରହିଥିବା ବେଳେ ସେମାନ‌ଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.