jayashree

ନବବର୍ଷରେ ନୀଳାଦ୍ରିପୁରରେ ଜମିବ ସାଧୁସନ୍ଥଙ୍କ ଗହଳ ଚହଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମ ଯାହାକି ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ଏହି ଗ୍ରାମଟି ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା’ରାମଚଣ୍ଡୀ ଙ୍କ ପାଇଁ ଏହି ଗାଁ ପ୍ରସିଦ୍ଧ ଅଟେ । ନୂତନବର୍ଷ ୨୦୨୫ ପବିତ୍ର ମାଘ ମାସ ତଥା ଇଂରାଜୀ ମାସ ଫେବୃଆରୀ ୧୮ ତାରିଖ ଶୁଭ ମଙ୍ଗଳବାରରେ ବିଶାଳ ଧର୍ମ ସମ୍ମିଳନୀର ଆୟୋଜନ ହେଉଛି । ଏହି ସମ୍ମିଳନୀରେ ବହୁ ସାଧୁସନ୍ଥ ବ୍ରାହ୍ମଣ, ବୈଷ୍ଣବଙ୍କ ସମ୍ମିଳିତ ଏକ ଆଧ୍ୟାତ୍ମିକ ସାମାବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ କୁହାଯାଇଛି । ଏନେଇ ନୀଳାଦ୍ରିପୁର ଗ୍ରାମବାସୀଙ୍କ ମନରେ ପ୍ରାଥମିକସ୍ତରରେ ଏକ ନୂତନ ଦିଗନ୍ତ ଆଧ୍ୟାତ୍ମିକ ଭାବ ଆଲୋଡନା ସୃଷ୍ଟି କରିଛି । ପବିତ୍ର ମାଘମେଳା ସ୍ୱରୂପ ଏହି ଆଧ୍ୟାତ୍ମିକ ପାର୍ବଣ ଲାଗି ନୀଳାଦ୍ରିପୁର ଗ୍ରାମ ମୁଖରୀତ ହୋଇଉଠିବ । ବେଦପାଠ ଓ ବେଦ ମନ୍ତ୍ରରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିବ ବୋଲି ସଭିଙ୍କ ମନରେ ଏକ ନିଆରା ଖୁସିର ଉନ୍ମାଦ ଜାଗି ଉଠିଛି । ଏନେଇ ଗତ କାଲି ସନ୍ଧ୍ୟାରେ ପୀଠ ପ୍ରାଙ୍ଗଣରେ ମନ୍ଦିର ପ୍ରଶାସନ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା’ରାମଚଣ୍ଡୀ ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ସାଧୁସନ୍ଥ ସମାବେଶରେ ବରିଷ୍ଠ ସମାଜସେବୀ ପ୍ରଶାନ୍ତ କରଙ୍କ ନେତୃତ୍ୱରେ ରାମାଧୀନ ସଂସ୍କୃତ କଲେଜ, ବ୍ରହ୍ମପୁରର ଅଧ୍ୟକ୍ଷ ଡ଼ଃ. ହରିହର ଦାସ ଓ ଅନ୍ୟ ସାଧୁସନ୍ଥ ଗଣ ଗତ ବୁଧବାର ଦିନ ଯୋଗଦେଇ ମନ୍ଦିର ବେଢ଼ା ପରିସର ଅନୁଧ୍ୟାନ କରିବା ସହ ଦେବୀଙ୍କ ଆଶୀର୍ବାଦ ଓ ବିଭୂକୃପା ଲାଭ କରି ଫେରିଛନ୍ତି । ଆୟୋଜିତ ଉତ୍ସବରେ ଏକ ଲକ୍ଷ ବଲେପତ୍ର ସହ ପୂଜା ଅର୍ଚ୍ଚନା କାର୍ଯ୍ୟକ୍ରମ ନେଇ ବିହିତ ବନ୍ଦୋବସ୍ତ ପ୍ରକ୍ରିୟା ନେଇ ଆଲୋଚନା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାରା ଓଡିଶାରୁ ସାଧୁସନ୍ଥ ଆସିବା ପାଇଁ ପାର୍ଯ୍ୟାୟ କ୍ରମେ ବୈଠକ ବସି ଆଲୋଚନା ହୋଇଛି । ଏହି ବୈଠକରେ ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, କମିଟିର ସଂଯୋଜକ କମଲ ପଣ୍ଡା, ଜ୍ୟୋତିଷ ଆଚାର୍ଯ୍ୟ ଦୀପକ କୁମାର ଦାଶ୍, ମ୍ୟାନେଜର ସନ୍ତୋଷ ପଣ୍ଡା, ସୁଧୀର ମହାରଣା, ବରୁଣ ଚୌଧୁରୀ, ଉପେନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.