ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସଂବୃଦ୍ଧି ଓ ସ୍ୱାଭିମାନର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ, ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗାରିମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ଲାଭ କରିଛି । ଉପଖଣ୍ଡ ପ୍ରଶାସନ ତଥା ରାଜସ୍ୱ ପ୍ରଶାସନ ସବୁବେଳେ ଆପଣମାନଙ୍କ ସହିତ ରହିଛି । ଆମର ଭଞ୍ଜନଗର ଉପଖଣ୍ଡରେ କୃଷି ଓ କୃଷକର ବିକାଶ, ଭିତ୍ତିଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣରେ କହିଥିଲେ । ଏହାପରେ ଉପଖଣ୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗିତରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିପଦର ବନ୍ଧୁ ଅନୁଷ୍ଠାନକୁ ସମାଜ ସେବା ପାଇଁ ଓ ସେହି ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଛାଙ୍କୁ ସ୍ୱତନ୍ତ୍ର ଭାବେ ସମାଜ ସେବା ପାଇଁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂମାନିତ ଅତିଥି ଭାବେ ଏହି ଉତ୍ସବରେ ଭଞ୍ଜନଗର ଏସ୍.ଡ଼ି.ପି.ଓ. ସୁଜିତ କୁମାର ନାୟକ, ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ଯୋଗ ଦେଇଥିଲେ । ଏଥି ସହିତ ସମାଜସେବୀ ମୁରଲୀଧର ପଣ୍ଡା, ଖୁଚୁରା ବ୍ୟବସାୟୀ ସଙ୍ଘର ସଭାପତି ଗୌରୀଶଙ୍କର ପାତ୍ର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମସ୍ତ ସମ୍ମାନିତ ସାମ୍ବାଦିକଗଣ ଯୋଗ ଦେଇଥିଲେ । ପ୍ରାତଃ ୫ ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୂନ ବଜା ଯାଇଥିଲା, ସ୍ଥାନୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ ସହ ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ପରିଶେଷରେ ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା ଓ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ଏବଂ ତାରିଣୀ ସାହୁ ସହଯୋଗ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ ।
Prev Post
Next Post