ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୂନ ପ୍ରଚାର କରାଯାଇଥିଲା । ସକାଳ ୭ଟାରୁ ସାଢେ଼ ୭ଟା ମଧ୍ୟରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସକାଳ ୭ଟା ୧୫ମି.ରୁ ୭ଟା ୪୫ମି. ମଧ୍ୟରେ ଗାନ୍ଧୀନଗରପଡ଼ା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀ ଛକ ସ୍ଥିତ ଡ.ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀଭବନ ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସକାଳ ୮ଟା ୩୦ମି. ସମୟରେ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଣା ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ଅଭିଭାଷଣରେ ଭାରତ ବର୍ଷର ଯେଉଁ ମହାପୁରୁଷ ମାନେ ସମ୍ବିଧାନ ରଚନା କରିଥିଲେ ଏବଂ ଜାତୀୟ ସ୍ୱାଧିନତା ସଂଗ୍ରାମରେ ଯେଉଁ ମହାମନିଷୀମାନେ ଦେଶ ତଥା ଜାତି ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି, ସେମାନଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଭିନ୍ନତା ଭିତରେ ଏକତା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଭିତରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆମ ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଆଦର୍ଶ । ଭାରତର ଏକତା ଓ ଅଖଣ୍ଡତା ଅନ୍ୟ କୌଣସି ବି ରାଷ୍ଟ୍ର ସହ ତୁଳନା କରାଯାଇ ନପାରେ, ସେଥିପାଇଁ ଆମେ ଗର୍ବିତ ବୋଲି ପ୍ରକାଶ କରିବା ସହ ଭାରତ ବର୍ଷର ଏହି ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସମସ୍ତ ଭାରତୀୟଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ପ୍ରକୋପ ଆଜି ବି ସାରା ଦେଶରେ ସଂକଟ ହୋଇରହିଛି ଏବଂ ଏହାର ସଫଳ ମୁକାବିଲା କରିବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ଜାରି ରହିଛି । ବଲାଙ୍ଗିର ଜିଲ୍ଲାବାସୀଙ୍କ ସହଯୋଗରେ କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରାଯାଇଥିଲା ଏବଂ ବର୍ତ୍ତମାନ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ଦିଗରେ ଜିଲ୍ଲାବାସୀଙ୍କ ଅନୁରୂପ ସହଯୋଗର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିବା ସଙ୍ଗେ ସଙ୍ଗେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମର ପ୍ରତିନିଧି, ନର୍ସ, ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି କୋଭିଡ଼ ଯୋଦ୍ଧାଙ୍କ ସମର୍ପିତ ସେବା ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।
କୋଭିଡ଼ କଟକଣା ଯୋଗୁଁ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ କେବଳ ଏପିଆର୍ ଓ ହୋମଗାର୍ଡର ଦୁଇଟି ପ୍ଲାଟୁନ ଅଂଶଗ୍ରହଣ କରି ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଙ୍ଗୀତ ବାଦନ କରିଥିଲେ । ଆନୁଷ୍ଠାନିକ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଉପସ୍ଥିତ ରହିଥିବା ବେଳେ ସମାରୋହରେ କୋଭିଡ଼ ଯୋଦ୍ଧା, ସରକାରୀ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।