ବଲାଙ୍ଗିର ନାଗରିକ କମିଟିର ତ୍ରୟୋମାସିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ତ୍ରୟୋମାସିକ ସାଧାରଣ ସଭା ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ସମ୍ବିଧାନ ସଂଶୋଧନ ପରେ ଏହା ହେଉଛି ପ୍ରଥମ ତ୍ରୟୋମାସିକ ସଭା । ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ସାଧାରଣ ସଂପାଦକ ମଧୁସୂଦନ ନାୟକ ଗତ ସାଧାରଣ ସଭା ଓ କାର୍ଯ୍ୟକାରୀ କମିଟି ବୈଠକର ବିବରଣୀ ପାଠ କରିବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଂପାଦକ ଶ୍ରୀ ନାୟକ ଗତ ତିନିମାସ ମଧ୍ୟରେ ନାଗରିକ କମିଟି ଦ୍ୱାରା ସଂପାଦିତ ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ, ରେଲୱେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀଙ୍କ ସହିତ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ, ବିପିସିଏଲ୍‌ ଓ ଲୋୟର ସୁକତେଲ କାର୍ଯ୍ୟଳୟରୁ ନାଗରିକ କମିଟିର ପତ୍ରର ଉତ୍ତର ମିଳିଥିବା ସଭାପତି ସୂଚନା ଦେବା ସହିତ ସମସ୍ତ କାର୍ଯ୍ୟାଳୟ ବଲାଙ୍ଗିର ନାଗରିକ କମିଟିକୁ ସହଯୋଗ କରିଥିବା ଦର୍ଶାଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ଯେଉଁ ସଦସ୍ୟମାନେ ନାଗରିକ କମିଟିର କାର୍ଯ୍ୟ ସଂପାଦନ ପାଇଁ ଆଗେଇ ଆସିଥିଲେ ସେମାନଙ୍କୁ, ବିଶେଷ କରି ଗତ ତା.୦୯.୦୭.୨୦୨୫ ତାରିଖରେ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ପରିସରରେ ନାଗରିକ କମିଟି ତରଫରୁ ପାଳନ କରାଯାଇଥିବା ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଶେଷ ଅବଦାନ ପାଇଁ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ଓ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ସଭାପତି ସାଧୁବାଦ ଜଣାଇଥିଲେ ଓ ପ୍ରକାଶ କରିଥିଲେ ଯେ ଗତ ତିନିମାସ ମଧ୍ୟରେ କିଛି କାର୍ଯ୍ୟ ସୁଫଳ ପ୍ରଦାନ କରିଛି ଓ କିଛି କାର୍ଯ୍ୟ ଅଧୁରା ରହିଯାଇଛି । ଯେଉଁ କାର୍ଯ୍ୟ ଅଧୁରା ରହିଛି ତା ଉପରେ ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଥିଲେ । ସଭାପତିଙ୍କ ଆହ୍ୱାନ କ୍ରମେ ସଦସ୍ୟ ଧର୍ମବ୍ରତ ରଥ, ନରେନ୍ଦ୍ର କୁମାର ଆଚର୍ଯ୍ୟେ, ଜୟରାମ ମିଶ୍ର, ପ୍ରଭାକର ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, କିଶୋର କୁମାର ପୁରୋହିତ, ଦୁର୍ବାଦଳ ମହାକୁର ଓ ପ୍ରଦୀପ କୁମାର ସାହୁ ଆଗାମୀ ତିନିମାସ ପାଇଁ ବିଭିନ୍ନ କାର୍ଯ୍ୟର ପ୍ରସ୍ତାବ ରଖିଥିଲେ । ଶେଷରେ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.