
ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକତା ସହ ତାଳ ଦେବ ଅର୍ବାନ ବ୍ୟାଙ୍କ । ବ୍ୟାଙ୍କ ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲିପ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଗ୍ରାହକଙ୍କ ପାଇଁ ବ୍ୟାଙ୍କର ବହୁ ଶୀଘ୍ର ଏଟିଏମ୍ ସୁବିଧା ଉପଲବ୍ଧ କରାଯିବ । ଏଥିପାଇଁ କମ୍ପାନୀ ସହ ଆଲୋଚନା ଚାଲିଛି । ସୁଧ ହାର ହ୍ରାସ କରାଯାଇଥିବାରୁ ୠଣ ପ୍ରଦାନ ଏବଂ ରିକୋଭରି ମଧ୍ୟ ଭଲ ହେଉଛି । ବର୍ତମାନ ଭାରତ ପଏ’ରଏ କ୍ୟୁଆର କୋର୍ଡ କାମ କରୁଛି । ଏବେ ମୋବାଇଲ ଆପ ଉନ୍ମୋଚିତ ହୋଇଛି । ଏଥିରେ ୟୁପିଆଇ ପେମେଣ୍ଟ, ମେସେଜ ଏବଂ ବିଲ୍ ପଇଠ ଆଦି ସୁବିଧା ରହିବ । ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ଲାଭ କରି ନଥିଲେ ମଧ୍ୟ ଏନପିଏ ୪.୧% ରହିଛି । କୋଭିଡ ମହାମାରୀ ପାଇଁ ବ୍ୟାଙ୍କ ରୂଣୀମାନଙ୍କୁ ମୋରାଟୋରିଅମ୍ ସମୟ ମଞ୍ଜୁରୀ ଦେଇଥିବା ଓ ପରବର୍ତ୍ତୀ ପର୍ଯ୍ୟାୟରେ କିଛି ଋଣ ଖାତାରେ ପଇଠ ଅନିୟମିତତା ରହିବା କାରଣରୁ ବ୍ୟାଙ୍କର ଏନ୍ପିଏ ପ୍ରୋଭିଜନ ଅଧିକ ହୋଇଥିବା ବେଳେ ବ୍ୟାଙ୍କର ଆର୍ଥିକ ମାନଦଣ୍ଡରେ ସନ୍ତୋଷଜନକ ବୃଦ୍ଧି ହୋଇପାରିନାହିଁ । ୨୦୨୨-୨୩ ରେ ଆର୍ଥିକ ବର୍ଷରେ ବ୍ୟାଙ୍କ ଲାଭ କରି ପାରି ନଥିବାରୁ ଅଂଶୀଦାରଙ୍କୁ ଲାଭାଂଶ ପ୍ରଦାନ କରାଯାଇ ପାରିବ ନାହିଁ । ସେହିପରି ଅପରାହ୍ନରେ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାଙ୍କର ୨୦ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୭୫୦ଜଣ ସଭ୍ୟ ଉପସ୍ଥିତ ଥିଲେ । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ମିଶ୍ର ୨୦୨୨-୨୩ ବିବରଣୀ ପାଠ କରିଥିଲେ । ବ୍ୟାଙ୍କର ସଭାପତି ଶ୍ରୀ ମହାପାତ୍ର ଅଂଶୀଦାରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । କିଛି ସଭ୍ୟ ବ୍ୟାଙ୍କର ପରିଚାଳନା ପରିଷଦର ଦୃଷ୍ଟିଗୋଚରକୁ ନଆଣି ବିଭିନ୍ନ ସମ୍ବେଦନଶୀଳ ବିଷୟ ଉପରେ ଆର୍ସିଏସ୍ ତଥା ଅନ୍ୟ ଉଚ୍ଚସ୍ତରୀୟ ବିଭାଗକୁ ଅଭିଯୋଗ କରିବା କଥା ଉପରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସ୍ମିତା ନାୟକ, ନିର୍ଦ୍ଦେଶକ କୃଷ୍ଣ ପଟ୍ଟନାୟକ, ରବିନ୍ଦ୍ର ନାଥ ପଣ୍ଡା, ଶକ୍ତେଶ୍ୱର ପାତ୍ର, ଚୌଧୁରୀ ବିଜୟ ପଟ୍ଟନାୟକ, ସମରପ୍ରିୟ ତନ୍ତୀ, ବିଜୟ କୁମାର ପ୍ରଧାନ, ଶଙ୍କର ଜେନା, ଅକ୍ଷୟ କୁମାର ରାଉତ, ସନ୍ଧ୍ୟାରାଣୀ ରାଉତ, ପୂର୍ଣ୍ଣିମା କେରକେଟା, ରବିନ୍ଦ୍ର କୁମାର ପ୍ରଧାନ, ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।