ls

ନକଲି ସୁନା ବନ୍ଧକ ଦେଇ ଠକି ନେଇଥିଲେ ୮୦ ହଜାର ଟଙ୍କା : ୨ ଜଣଙ୍କୁ ଗିରଫ କଲା ବଲାଙ୍ଗିର ସଦର ପୋଲିସ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ସୁନା ବନ୍ଧକ ଦେଇ ଠକି ନେଇଥିଲେ ୮୦ ହଜାର ଟଙ୍କା । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ଏ ସଂପର୍କରେ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ନିବାସୀ ବୃନ୍ଦାବନ ମେହେରଙ୍କ ପାଖକୁ ଗତ ୪ ତାରିଖ ପୂର୍ବାହ୍ନରେ ୨ଜଣ ବ୍ୟକ୍ତି ଆସି ସାଢେ଼ ୩ ଭରି ଓଜନର ଗୋଟିଏ ସୁନା ହାର ଓ ସୁନା ଚେନ୍‌ ବନ୍ଧକ ରଖିବାକୁ ଅନୁରୋଧ କରିଥିଲେ । ଏହାପରେ ସୁନା ଟେଷ୍ଟ କରିବାକୁ ଯିବାରୁ ସୁନା ଅସଲି ବୋଲି ଜଣା ପଡ଼ିଥିଲା । ସୁନା ଟେଷ୍ଟ କରାଇ ବୃନ୍ଦାବନଙ୍କ ଘରକୁ ଫେରି ମୂଲଚାଲ ହେବାପରେ ୩ ପର୍‌ସେଣ୍ଟ ସୁଧ ହାରରେ ସୁନା ବନ୍ଧକ ଦେବାକୁ ମାନିଥିଲେ ଦୁଇବ୍ୟକ୍ତି । ଏହାପରେ ପକେଟ୍‌ରୁ ଅସଲି ସୁନା ବଦଳରେ ନକଲି ସୁନା ବାହାର କରି ବୃନ୍ଦାବନଙ୍କୁ ଦେବା ସହ ତାଙ୍କ ଠାରୁ ୮୦ ହଜାର ଟଙ୍କା ଠକି ନେଇଥିଲେ ୨ ଦୁର୍ବୃତ୍ତ । ସୁନା ପୁଣି ପରୀକ୍ଷା କରାଯିବାରୁ ଏହା ନକଲି ବୋଲି ଜଣାପଡ଼ିବା ପରେ ବୃନ୍ଦାବନ ଗତ ୫ ତାରିଖ ଦିନ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ଆଇଆଇସି ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ମାମଲାରେ କେନ୍ଦାପାଲି ବିଏମ୍‌ପୁର ନିବାସୀ କେମ୍ପା ଓରଫ୍‌ କାର୍ତ୍ତିକ ମେହେର ଓ ତୁଷୁରା ନିବାସୀ ମାଧବ ସୁନାଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କଠାରୁ ଠକି ନେଇଥିବା ୮୦ ହଜାର ଟଙ୍କା ସହ ଘଟଣାରେ ବ୍ୟବହୃତ ୨ଟି ମୋଟର୍‌ ସାଇକେଲ୍‌ ଜବତ କରିଛି ପୋଲିସ । ଆଜି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

pc pk
Leave A Reply

Your email address will not be published.