ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌ : ୫ ମୃତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ଖମାର ଥାନା ଇଲାକାରେ ଏକ ଟ୍ରକ୍‌କୁ ଗୋଟିଏ କାର୍‌ ପଛପଟରୁ ଧକ୍କା ଦେବାରୁ ସେଥିରେ ଥିବା ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ଯୁବକମାନେ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ ଗାଁର ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଇଞ୍ଜିଡ଼ ପଞ୍ଚାୟତର ଭୋଟ ଗଣତି ପରେ ସେହି ଗାଁର କିଛି ଯୁବକଙ୍କର ଜଣେ ସମର୍ଥକ ବିଜୟ ଲାଭ କରିଥିବା ଜଣାପଡ଼ିଥିଲା । ଫଳରେ ଏହି ଯୁବକମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ । ୧୪୯ ନମ୍ବର ଜାତୀୟ ରାଜପଥର ଖମାରଠାରେ ଥିବା ଏକ ଢାବାରେ ଖାଇବା ପାଇଁ ଇଞ୍ଜିଡ଼ ଗାଁର ଯୁବକମାନେ ବାହାରି ପଡ଼ିଥିଲେ । ସେମାନେ ରାତି ପ୍ରାୟ ୧୧ଟା ବେଳେ ଇଞ୍ଜିଡ଼ ଗାଁର ଯାତ୍ରାକର ସାହୁଙ୍କ କାର୍‌ (ଓଡି୦୨ଏଫ୍‌-୫୫୭୭)ରେ ଖମାର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ସେମାନେ ଖମାରରେ ପହଞ୍ଚିଥିବା ବେଳକୁ ଢାବା ବନ୍ଦ ହୋଇଯାଇଥିଲା । ସେଠାରୁ ସେମାନେ ପାଖାପାଖି ୭ କିଲୋମିଟର ଦୂର କଣ୍ଟିଆପଶିଠାରେ ଥିବା ଅନ୍ୟ ଏକ ଢାବାରେ ଖାଇବା ପାଇଁ ବାହାରିଥିଲେ । କଣ୍ଟିଆପଶି ନିକଟରେ ୧୪୯ ନମ୍ବର ଜାତୀୟ ରାଜପଥ‌ ପାଶ୍ୱର୍ରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ (ଓଡି୦୯କ୍ୟୁ-୯୨୨୯) ଛିଡ଼ା ହୋଇଥିଲା । କାର୍‌ଟି ଦ୍ରୁତଗତିରେ ଯାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇ ଭିତରକୁ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ କାର୍‌ ଚାଳକ ଗୌରଙ୍କ ସମେତ ଦୁଇ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଆରୋହୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ସେ ଦୁହିଁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.