ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର : ପୋଲିସ ଗୁରୁତରଙ୍କୁ ପିସିଆରରେ ଡାକ୍ତରଖାନାକୁ ଆଣିଲେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଅପରାହ୍ନ ୧ ଟା ସମୟରେ ଟିଟିଲାଗଡ ସହର ନିକଟସ୍ଥ ଝାରଦେବନ୍ଦ ଠାରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛନ୍ତି । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ହୋଇ ପଡ଼ିଥିବା ବେଳେ ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଆମ୍ବୁଲାନ୍ସ ଓ ଟିଟିଲାଗଡ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସୂଚନା ପାଇ ଟିଟିଲାଗଡ ପୋଲିସ ଷ୍ଟେସନର ଏଏସ୍‌ଆଇ ଖାମଶୀଙ୍ଗ ମାଝୀଙ୍କ ନେତୃତ୍ୱରେ ଏଏସ୍‌ଆଇ ଧର୍ମେନ୍ଦ୍ର ମାଝୀ, ଏଏସ୍‌ଆଇ ବୁଧିଶ୍ୟାମ ମାଝୀ, ଓଏପିଏଫ୍ ରାଜ କୁମାର ମାଝୀ, ଓଏପିଏଫ୍ ରାମ ସୁନ୍ଦର ମୁଦୁଲି, ଓଏପିଏଫ୍ ଭାଗିରଥି ବାଲା ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଥିବା ଦେଖି ପୋଲିସ ବାହିନୀ ନିଜ ପିସିଆରରେ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ବ୍ୟକ୍ତିଙ୍କୁ ଟିଟିଲାଗଡ ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରେ ଡାକ୍ତର ଆହତ ବ୍ୟକ୍ତିଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେଉଥିବା ଦେଖି ବଲାଙ୍ଗିର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ବ୍ୟକ୍ତି ଜଣକ ଚୋରମରା ଗ୍ରାମର ଦେବେନ୍ଦ୍ର ରଣା ବୋଲି ଜଣାପଡିଛି । ଦେବେନ୍ଦ୍ର କୌଣସି କାମ ପାଇଁ ଟିଟିଲାଗଡକୁ ଆସି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସୂଚନା ରହିଛି । ସୂଚନା ପାଇ ଦେବେନ୍ଦ୍ର ରଣାଙ୍କ ପରିବାର ବର୍ଗ ଟିଟିଲାଗଡ ଡାକ୍ତରଖାନାକୁ ଆସିଥିଲେ । ଟିଟିଲାଗଡ ପୋଲିସର ଉପଯୁକ୍ତ ସମୟରେ ତତ୍ପରତା ଦେଖାଇ ନିଜ ପିସିଆର୍‌ରେ ଆହତଙ୍କୁ ଡାକ୍ତରଖାନାକୁ ଆଣିଥିବାରୁ ବିଭିନ୍ନ ମହଲାରୁ ପ୍ରଶଂସା ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.