
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଆଜି ପୂର୍ବାହ୍ନରେ ସାଗରପାଲିଠାରେ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ନିଶୁଳ୍କ ସେବା ନମ୍ବର ୧୫୧୦୦ ଓ ଆଇନ ସେବା ପୋର୍ଟାଲ ବାବଦରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ଯୋଗ ଦେଇ ଆଇନ ସେବା ଓ ଏହାର ଉପଯୋଗ ସହିତ ହିତାଧିକାରୀମାନେ କିଭଳି ଭାବରେ ଆଇନ ସେବାର ସୁଯୋଗ ନେଇ ପାରିବେ ସେ ବାବଦରେ ଲୋକମାନଙ୍କୁ ସଚେତନ କରେଇଥିଲେ । ଏହା ସହିତ ନିଶୁଳ୍କ ସେବା ନ. ୧୫୧୦୦ ଓ ଆଇନ ସେବା ପୋର୍ଟାଲ ବ୍ୟବହାର କରି ସେମାଙ୍କର ଅଭିଯୋଗ ଜଣେଇ ପାରିବେ ବୋଲି ସୂଚନା ଦେଇଥିଲେ । ଏହି ଶିବିରରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠି ଉନୟନ ଅଧିକାରୀ ପୁଷ୍ପାଞ୍ଜଳି ନାଏକ ଯୋଗ ଦେଇ ସରକାରଙ୍କର ଜନହିତ କରି ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରି ଥିଲେ । ସ୍ଥାନୀୟ ଗ୍ରାମ ପଞ୍ଚାୟତ ଅଧିକାରୀ ଯୋଗ ଦେଇ ଲୋକମାନଙ୍କୁ ତାଙ୍କର ଅଧିକାର ଉପରେ ଅବଗତ କରାଇଥିଲେ । ଏଥିରେ ପାରା ଲିଗାଲ ସ୍ଵେଛାସେବୀ ବିଦ୍ୟୁତଲତା ଖମାରୀ ଓ ପ୍ରକାଶ ସେଠ ସହଯୋଗ କରିଥିଲେ । ସର୍ବ ଶେଷରେ ଜାତୀୟ ଆଇଏନ ସେବା ପ୍ରାଧିରଣର ଥିମ ସଂଗୀତ ପରିବେଷଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।