
- ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନରେ ଥିବା ସୁବିଧା ସୁଯୋଗ ଏବଂ ଅଧିକାର ସମ୍ପର୍କରେ କରାଯିବ ସଚେତନ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନରେ ଥିବା ସୁବିଧା ସୁଯୋଗ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଉପସ୍ଥିତ ରହି ଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ରଥ ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳ ଗୁଡିକରେ ପରିକ୍ରମା କରିବା ସହ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଏହି ଅବସରରେ ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲା ପୋଲିସ ତରଫରୁ ମଧ୍ୟ ଏ ସମ୍ପର୍କରେ ଏକ ଅଭିଯାନ ଜରିଆରେ ଲୋକମାନଙ୍କୁ ସଚେତନ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ସହ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ସେମାନଙ୍କ ପାଇଁ ଥିବା ସହାୟତା ନିମନ୍ତେ ପୋର୍ଟାଲର ସୁବିଧା ତଥା ସେମାନଙ୍କ ପାଇଁ ଥିବା ଆଇନର ବ୍ୟବସ୍ଥା ସମ୍ପର୍କରେ ସଚେତନତା ସହ ଶ୍ରମ ଠିକାଦାର ମାନଙ୍କୁ ମଧ୍ୟ ଆଇନ ସମ୍ପର୍କରେ ସଚେତନ କରାଯିବା ଏହାର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ । ଏତଦ ବ୍ୟତୀତ ସେମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଏହି ସଚେତନତା ରଥ ମାଧ୍ୟମରେ ସଚେତନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ୩୦ ଗୋଟି ପଞ୍ଚାୟତରେ ମିଶନ ଉଦ୍ଧାର ଅଭିଯାନ ଜରିଆରେ ସଚେତନ କରାଯାଇଛି ଓ ସେମାନଙ୍କ ଥଇଥାନ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବା ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ ଏହି ଅବସରରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀଙ୍କ ସମେତ ଶ୍ରମ ବିଭାଗର ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।