ଖଲିଆପାଲି ବିଦ୍ୟାଳୟରେ ଡାଇରିଆ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ଓ ଇକୋ କ୍ଲବ ଆନୁକୂଲ୍ୟରେ ଡାଇରିଆ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡାଇରିଆରୁ ରକ୍ଷା ପାଇବା ପାଇଁ ସର୍ବଦା ହାତକୁ ସାବୁନରେ ଭଲ ଭାବରେ ଧୋଇବା, ଯୋତା ପିନ୍ଧି ଶୌଚାଳୟର ବ୍ୟବହାର କରିବା, ହେଲୋଜେନ ବଟିକା ପଡିଥିବା ପାଣି ବା ବିଶୁଦ୍ଧ ଫୁଟା ପାଣି ପିଇବା, ତଟକା ଓ ଗରମ ଖାଦ୍ୟ ଖାଇବା, ତରଳ ଝାଡା ହେଲେ ଓଆରସର ବ୍ୟବହାର କରିବା ଏବଂ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ମଶାରୀ ଟାଙ୍ଗି ଶୋଇବା, ଘର ପାଖ ବୁଦା ସଫା କରିବା ଓ ଆବର୍ଜନା ତଥା ମଇଳା ପାଣି ଜମିବାକୁ ନ ଦେବା, ଘର ବାହାର ସଫା ରଖି ଧୂପଦାନୀର ବ୍ୟବହାର କରିବା ସହ ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ପ୍ରଧାନଶିକ୍ଷକ ଶ୍ରୀ ପଶାୟତ ବୁଝାଇଥିଲେ । ଏଥି ସହିତ ହାତ ଧୁଆର ୬ ଗୋଟି ସୋପାନକୁ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସଂଗୀତା ସାହୁ, ଧୀରେନ୍ଦ୍ର କୁମାର ସାହୁ, ଜ୍ୟୋତିର୍ମୟ ମିଶ୍ର ଓ ସନ୍ତୋଷ କୁମାର ପାଇକ ଚନ୍ଦନ, କମିଟି ଚେୟାରମ୍ୟାନ ରଧେଶ୍ୟାମ କରନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.