ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଇନ ଶୃଙ୍ଖଳା ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଚେତନତା ଅଭାବରୁ ଦିନକୁ ଦିନ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି । ଏହି ଅପରାଧ କିପରି ହ୍ରାସ ପାଇବ ତଥା ଲୋକଙ୍କ ମଧ୍ୟରେ କିପରି ସଚେତନତା ଆସିବ, ସେହି କଥାକୁ ପାଥେୟ କରି ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏବେ ସବୁ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଗଞ୍ଜାମ ପୋଲିସ ବିଭାଗ ତରଫରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସେହି କ୍ରମରେ ଆଜି ସର୍ବ ପ୍ରଥମେ ସରକାରୀ ଉଚ୍ଚ ବିଦ୍ୟାଳୟ, ରମ୍ଭାଠାରେ ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା ତଥା ରମ୍ଭା ଥାନା ସବ ଇନ୍ସପେକ୍ଟର ବିମଳ କଅଁରଙ୍କ ସହଯୋଗରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର ଏହି ସଚେତନତା ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ସାକାର କରିବା ନିମନ୍ତେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଗଣ ସହଯୋଗର ହାତ ବଢାଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟ ଦ୍ୱାରା ଅତିଥି ପରିଚୟ ପରେ ଡ଼ିଏସ୍‌ପି ମମତା ନାୟକ ପୋକ୍ସ ଆଇନ ତଥା ଛାତ୍ରଛାତ୍ରୀମାନେ ଶିକାର ହେଉଥିବା ଅସଦାଚରଣର ମୁକାବିଲା କିପରି କରିପାରିବେ ସେ ନେଇ ପିଲାମାନଙ୍କୁ ସଚେତନତା ଉପରେ ତାଲିମ ଦେଇଥିଲେ । ପରେ ଛତ୍ରପୁର ଏସ୍.ଡ଼ି.ପି.ଓ. ଗୌରହରି ସାହୁ ଟ୍ରାଫିକ ଆଇନ ତଥା ହେଲମେଟ ବ୍ୟବହାର ଉପରେ ନିଜର ମନ୍ତବ୍ୟ ରଖି ପିଲାଙ୍କୁ ୧୮ବର୍ଷ ପୂର୍ବରୁ ଗାଡି ନ ଚଲାଇବାକୁ ଉପଦେଶ ଦେଇଥିଲେ । ସେହିପରି ସାଇବର ସେଲର ଏ.ଏସ୍‌.ଆଇ. କିରଣ ପାତ୍ର ମୋବାଇଲ ହ୍ୟାକିଂ, ସାଇବର ଧୋକା, ଓଟିପି ସେୟାର ନ କରିବା ଆଦି ବିଷୟରେ ପିଲାଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ପରବର୍ତ୍ତୀ ବକ୍ତା ହିସାବରେ ଛତ୍ରପୁର କୋର୍ଟର କ୍ୟାଡ଼ର ଏ.ପି.ପି. ରାଜେଶ କୁମାର ମିଶ୍ର ପିଲାମାନଙ୍କୁ ଆଇନ ବିଷୟରେ ସଚେତନ କରିବା ସହ ଭବିଷ୍ୟତରେ କିପରି ଆଇନପାଠ ପଢି ତାକୁ କିଭଳି ନିଜର ବୃତ୍ତି ହିସାବରେ ରଖି ସଫଳ ପ୍ରୋସେକ୍ୟୁଟର, ମାଜିଷ୍ଟ୍ରେଟ ତଥା ଜଜ୍‌ ହେଇପାରିବ ସେ ନେଇ ଉଦ୍‌ବୋଧନ ଦେଇଥିଲେ । ସେହିପରି ଖଲ୍ଲିକୋଟ ଫରେଷ୍ଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପରିବେଶ ସଚେତନତା ବାର୍ତ୍ତା ଦେଇଥିଲେ । ସର୍ବଶେଷରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣିଗାରେଡି, ନଖ ଦର୍ପଣ, ଖଟିଆ ବୁଲା ଆଦି ଉପରେ ପିଲାଙ୍କୁ ସଚେତନ କରିବା ସହ ସବୁ ପିଲାଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେଇ ସମାଜରେ ନାଁ କମାଇବାକୁ ପ୍ରୋତ୍ସାହିତ କରିଥିଲେ । ଗଞ୍ଜାମ ପୋଲିସ ବିଭାଗ ତରଫରୁ ହୋଇଥିବା ଗୁରୁବାର ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ଭବିଷ୍ୟତରେ ଏହିଭଳି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଗଞ୍ଜାମ ଜିଲ୍ଲାର ସବୁ ବିଦ୍ୟାଳୟରେ ସଚେତନତା ସଭା, ତାଲିମ, କର୍ମଶାଳା ଆଦି ଦେଇ ସମାଜରେ ନୂତନ ଦିଗଦର୍ଶନ ଦେବା ନିମନ୍ତେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.