ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ସଚେତନତା ଅଭିଯାନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ବାହାରିଥିଲା । ଏହି ସଚେତନତା ରଥକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ରଥ ଅକ୍ଟୋବର ୧୭ ତାରିଖଠାରୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବାଲ୍ୟ ବିବାହ ନିରାକରଣ ଉପରେ ଜନସାଧାରଣଙ୍କୁ ସଚେତନ କରିବ । ବାଲ୍ୟ ବିବାହ ନିରାକରଣ ସକାଶେ ସଚେତନତା ସୃଷ୍ଟି ସହ ସେପ୍ଟେମ୍ବର ମାସ ୩୦ ତାରିଖରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ୧୮ ବର୍ଷରୁ କମ୍ ବାଳକ ବାଳିକାମାନଙ୍କୁ ନେଇ ବାଳସଭା ଆୟୋଜନ କରାଯାଇ ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା ବୋଲି ସଚେତନତା ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ପ୍ରକାଶ କରିବା ସହ ବାଲ୍ୟ ବିବାହ ଏକ ଅପରାଧ ଏବଂ ଏ ସମ୍ପର୍କରେ ସଚେତନତା ଅଭିଯାନ ଜରିଆରେ ଜନସଚେତନା କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସନ୍ଥଲାଳ ଦୀପ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ୱାନ ଷ୍ଟପ ସେଣ୍ଟରର ପ୍ରୋଗ୍ରାମ ମେନେଜର ଆଲିଶା ଚକ୍ରବର୍ତ୍ତୀ, ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଆଇସିଡି ଏସ ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଏସ୍ଏଚ୍ଜି ସଦସ୍ୟା, ସମାଜ କଲ୍ୟାଣ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପରେ ସଚେତନତା ରଥ ସହ ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା, ଆଇସିଡିଏସ୍ ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଏସ୍ଏଚ୍ଜି ସଦସ୍ୟା, ସମାଜ କଲ୍ୟାଣ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ମାନେ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ ।
Next Post