om academy

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

jsm

କଳାହାଣ୍ଡି, (ପି.କେ. ସାହୁ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସହଯୋଗରେ ଆଜାଦୀ କା ଅମୃତ ମହୋତ୍ସବ, ମିଶନ ଲାଇଫ ସମ୍ପର୍କିତ ଦୁଇଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଉଦ୍‌ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସଚେତନତା ପଦଯାତ୍ରାରେ ଅଂଶଗ୍ରହଣ କରି ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ, ରାଷ୍ଟ୍ର ନିର୍ମାଣ ନିମନ୍ତେ କଠିନ ପରିଶ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ଫୋଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଭାରତର ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରିଥିବା ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ, ଅପରିଚିତ ଯୋଦ୍ଧାଙ୍କ ବୀର ଗାଥା, ଜି -୨୦, ମିଲେଟ ମିଶନ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜଣ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ୫୦ଟି ଫୋଟୋ ମାଧ୍ୟମରେ ଏହି ପ୍ରଦର୍ଶନୀ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି । ପରେ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ବିନମ୍ର ହୋଇ ସମାଜର ତଳ ସ୍ତରର ଲୋକଙ୍କ ବିକାଶରେ ସହଯୋଗ କରିବା ପାଇଁ ଆହ୍ୱାନ ଦେବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବୀର ଏବଂ ବୀରାଙ୍ଗନା ଭାବେ କଠିନ ପରିଶ୍ରମ ଦ୍ୱାରା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଅନୁପ୍ରାଣିତ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ଅବଦାନକୁ ସ୍ମରଣ କରି ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ଅଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ, ପିଜି କାଉନସିଲ ଅଧ୍ୟକ୍ଷ ଡ଼. ଜୟଦେବ ସାହୁ, ଡ଼. ନଳିନୀକାନ୍ତ ରାଉତ, ବିଶିଷ୍ଟ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥୀ, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ । ଏହି ଅବସରରେ କେନ୍ଦ୍ର ସଞ୍ଚାର ବ୍ୟୁରୋ, ଭୁବନେଶ୍ୱରର ବିଭାଗୀୟ କଳାକାର ଏବଂ ପଂଜିକୃତ କଳାକାର ସୂଚନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ କେନ୍ଦ୍ର ସଞ୍ଚାର ବ୍ୟୁରୋ, ଭବାନୀପାଟଣାର ଅଧିକାରୀ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.