ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତ୍ତୃପକ୍ଷ । ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଥିଲେ । ଏହି ସଚେତନତା ଅଭିଯାନରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକୋଲେଟ୍ ଦେଇ ଧନ୍ୟବାଦ ଦିଆଯାଇଥିଲା । ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡାଇରେକ୍ଟର ରିସୋର୍ସେସ୍ ତଥା ସିଭିଓ ଯୁଗଳ କିଶୋର ଦାସ, ଲ’ ଡାଇରେକ୍ଟର ସଞ୍ଜୟ କୁମାର ସାହୁଙ୍କ ସମେତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଂଟ ମ୍ୟାନେଜର ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ସପ୍ତାହବ୍ୟାପୀ ଚାଲିବ ।

Leave A Reply

Your email address will not be published.