
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାର ଉପାନ୍ତ ମାଓ ପ୍ରବଣ ଅଂଚଳ ଢୋଲମାନ୍ଦଲ ପଂଚାୟତ କାର୍ଯ୍ୟାଳୟ ପରିସରରେ ଦାଦନ ଶ୍ରମିକ ଚାଲାଣ ରୋକିବା ନେଇ ଏକ ସଚେତନତା ଶିବିର ସୋମବାର ଦିନ ହୋଇଯାଇଛି । ତୁରେକେଲା ଥାନା ଆମ ପୋଲିସ ସମିତି ଓ ଏଡ-ଏଟ-ଏକ୍ସନ ସ୍ୱେଛାସେବୀ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଏହି ମାନବ ଚାଲାଣ (ଦାଦନ ଶ୍ରମିକ)ର କାରଣ ଓ କିପରି ହୁଏ, କେଉଁମାନେ ଏହାର ଶିକାର ହୋଇଥାନ୍ତି, କେଉଁ ମାନଙ୍କ ଦ୍ୱାରା ମୁଖ୍ୟତଃ ଏହି କାର୍ୟ୍ୟ କରାଯାଇଥାଏ, କିପରି ପ୍ରଲୋଭନ ଦେଖାଇ ଚାଲାଣ କରିଥାନ୍ତି ତାର ନିରାକରଣ ଉପରେ ସଚେତନତା କରାଯାଇଛି । ଏପରିକି ମାନବ ଚାଲାଣ (ଦାଦନ ଚାଲାଣ)ର ମୁଖ୍ୟତଃ କେଉଁ ଆଧାରରେ କରାଯାଇଥାଏ ତାର ସଂକେତ ଗୁଡିକ ମଧ୍ୟ ସୂଚନା ଦିଆଯାଇଛି । ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ସନ୍ଦିଗ୍ଧି ବ୍ୟକ୍ତି, ଦଲାଲ, ମଧ୍ୟସ୍ଥି ଆଦିଙ୍କ ଉପରେ ନଜର ରଖିବା, ସମ୍ବେଦନଶୀଳ ବ୍ୟକ୍ତି, ମହିଳା ଓ ଶିଶୁଙ୍କୁ ସଚେତନ କରିବା ଓ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେବା, ଶିଶୁମାନେ ଚାଲାଣ ହେଉଥିଲେ ୧୦୯୮ କିମ୍ବା ୧୧୨ରେ ସୂଚନା ଦେବା, ମହିଳା ଏବଂ ଝିଅମାନେ ଚାଲାଣ ହେଉଥିଲେ ୧୮୧ ଓ ୧୧୨ରେ ଜଣାଇବା ଶ୍ରମିକ ଚାଲାଣ ପାଇଁ ୧୮୦୦୧୨୦୩୭୬୩ ଟୋଲଫ୍ରି ନମ୍ବରରେ ଜଣାଇବା ଆଦି ବିଷୟରେ ସଭାରେ ସୂଚନା ଦିଆଯାଇଛି । ଏହି ସଭାରେ ଢୋଲମାନ୍ଦଲ ପଂଚାୟତ ତଥା ଆଖପାଖ ଅଂଚଳର ଶତାଧିକ ମହିଳା ପୁରୁଷ ତଥା ଯୁବତୀ ଯୁବକ ସାମିଲ ଥିଲେ । ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଂଟାବାଂଜି ପୋଲିସ ଏସ୍.ଡି.ପି.ଓ. ଲକ୍ଷ୍ମୀ ନାରାୟଣ ମାରାଣ୍ଡି (ମୁଖ୍ୟ ଅତିଥି) ସମ୍ମାନୀତ ଅତିଥି ଭାବେ ତୁରେକେଲା ଥାନା ଆଇ.ଆଇ.ସି. ଧମେନ୍ଦ୍ର ଶାନ୍ତି, ଆଇ.ସି.ଡି.ଏସ. ସୁପରଭାଇଜର ସତ୍ୟଭାମା ମହାନନ୍ଦ, ଏଡ.ଏଟ ଏକ୍ସନର ଜିଲ୍ଲା କୋଅଡିନେଟର ସନ୍ଧ୍ୟାରାଣୀ ପତି, କୋଅଡିନେଟର ଦୟା ସାଗର ପ୍ରଧାନ ନିଜ ନିଜର ସଚେତନତା ମତ ଦେଇଥିଲେ । ଢୋଲମାନ୍ଦଲ ପରେ ଉପାନ୍ତ ହଲନଭଟା ପଂଚାୟତରେ ମଧ୍ୟ ଏହି ସଚେତନତା ସଭା କରାଯାଇଛି । ଉଭୟ ପଂଚାୟତ ସଂପୂର୍ଣ୍ଣ ରୂପେ ମାଓ ପ୍ରବଣ ଅଂଚଳ ହୋଇଥିବାରୁ ପୋଲିସ ସୁରକ୍ଷା ମଧ୍ୟରେ ଏହି ସଚେତନତା ସଭା କରାଯାଇଛି ।