ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ, ଜିଲ୍ଲା ପ୍ରଶାସନ ଓ ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ମହିଳା କମିଶନର ସଦସ୍ୟା ଉର୍ମିଳା ମହାପାତ୍ର ଯୋଗଦେଇ ମହିଳା ମାନଙ୍କ ସୁବିଧା ଓ ସହଯୋଗ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତୈଷୀ ଯୋଜନା ଓ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ବିଭିନ୍ନ ଆଇନ କାନୁନ ସମ୍ପର୍କରେ ସମ୍ପର୍କରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସହାୟିକା, ସ୍ୱୟଂ ସହାୟକ ଗୋଷ୍ଟୀର ମା’ମାନେ ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସରକାର ସେମାନଙ୍କ ପାଇଁ କରିଥିବା ସୁବିଧା ଓ ସୁଯୋଗ ସମ୍ପର୍କରେ ସଚେତନ କରିବା ସହିତ ମହିଳା ଓ ବାଳିକାମାନଙ୍କ ଜୀବନରେ ଦେଖାଯାଉଥିବା ସାମାଜିକ ଓ ସୁରକ୍ଷା ଜନିତ ସମସ୍ୟାକୁ ସାହସ ଓ ଧୈର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ସମାଜସେବୀ ପୂର୍ଣ୍ଣିମା ଦାସ, ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସୋରେନ, ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ବେହେରା, ଏନ୍.ଏ.ସି ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ପଣ୍ଡା, ମହିଳା ସୁରକ୍ଷା ଅଧିକାରୀ ଡି. ନାଗୁ ରତ୍ନମ, ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଲଳିତା ମଲ୍ଲିକ ଏବଂ ଏସ୍ଡି ପି ଓ ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ନିଜର ମତାମତ ରଖିଥିଲେ । ପରିଶେଷରେ ମହିଳା ମାନଙ୍କ ସୁରକ୍ଷା ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।
Next Post