ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅଧୀନସ୍ଥ ହରଡ଼ାଖୋଲ ସ୍ଥିତ ଶୁଭେଶ୍ୱର ଗ୍ରାମ ପଞ୍ଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ଚିତ୍ରାଙ୍କନ, ରଚନା ଓ ତର୍କ-ବିତର୍କ ପ୍ରତିଯୋଗିତା ଏବଂ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋନପୁର ବ୍ଲକ ପକ୍ଷରୁ ଆୟୋଜନ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା ଲେଖନ ଓ ତର୍କ-ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ଓ ଯୁବପିଢ଼ିଙ୍କ ଭୂମିକା ବିଷୟରେ ଛାତ୍ରଛାତ୍ରୀମାନେ ନିଜ ମତାମତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ହୋଇଥିଲା ବେଳେ ସୋନପୁର ବ୍ଲକର ବିଡିଓ ପ୍ରତୀକ କର ମୁଖ୍ୟ ଅଧିକାରୀ ଭାବେ ଯୋଗଦେଇ ତାଙ୍କ ଉଦବୋଧନରେ ଯୁବ ସମାଜକୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ ହେବାକୁ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଡ଼ଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋହନ କର୍ମୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ଜୀବନ ଅନୁସରଣ କରିବା ପାଇଁ ପ୍ରେରିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟ ମନୁରାଜ କର୍ମୀ ଉପସ୍ଥିତ ଥିଲେ । ଏହା ସହ ଶିକ୍ଷାଳୟର ମୁଖ୍ୟ ଶିକ୍ଷକ ରମେଶ ଦାସ, ଅମରଜିତ ସାହୁ, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ହରଡ଼ାଖୋଲର ପିଇଓ ସୁଶିଲ ମହାପାତ୍ର, ଡବ୍ଲୁଇଓ ସୌରଭ ଦାନୀ, ବିଆରସି ବିବେକା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସହାୟକ ଆଶୁତୋଷ କୁଅଁର, ପଞ୍ଚାୟତ ଯୋଗାଣ ସହାୟକ କିରଣ ବନମାଳୀ ଏବଂ ସମସ୍ତ ଶିକ୍ଷକ ଓ ପଞ୍ଚାୟତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.